ଚାଇନା ବିବାଦ: ଟେଲିକମ ଉପକରଣ ବିକ୍ରେତାଙ୍କୁ କଳା ତାଲିକା ଭୁକ୍ତ କରିବ ଭାରତ

ନୂଆଦିଲ୍ଲୀ: ଚାଇନା ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଆଗକୁ ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ଭାରତ ସରକାର। ଭାରତରେ ଟେଲିକମ ଉପକରଣ ଯୋଗାଉଥିବା କିଛି ବିକ୍ରେତାଙ୍କୁ କେନ୍ଦ୍ର ସରକାର ଖୁବଶୀଘ୍ର କଳା ତାଲିକାଭୁକ୍ତ କରିପାରନ୍ତି ବୋଲି କହିଛନ୍ତି।

ଏଥିସହ ଦେଶରେ ସେବା ଓ ଉତ୍ପାଦ ବିକ୍ରି କରିବାକୁ ଯୋଗ୍ୟତା ହାସଲ କରିବାକୁ ଥିବା କମ୍ପାନୀକୁ ‘ଇଣ୍ଡିଆ ଟ୍ରଷ୍ଟ ଉତ୍ସ’ ଭାବରେ ନାମିତ କରିପାରନ୍ତି। ଖୁବଶୀଘ୍ର ଟେଲିକମ୍ କ୍ଷେତ୍ର ପାଇଁ ଗୋଟିଏ ତାଲିକା ପ୍ରକାଶ କରାଯିବ। ଏଥିରେ କମ୍ପାନୀଗୁଡ଼ିକ କାହାଠାରୁ ଜିନିଷ ଓ ସେବା ଆଣିପାରିବେ, ସେ ବିଷୟରେ ସମସ୍ତ ତଥ୍ୟ ରହିବ।

ଟେଲିକମ ସେକ୍ଟରର ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ଏଭି ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ତେବେ ଚାଇନା ଟେଲିକମ ବିକ୍ରେତାଙ୍କୁ ଟାର୍ଗେଟ କରି ଏଭଳି ନିଷ୍ପତ୍ତି ନିଆଯାଇଛି କି ନାହିଁ, ସେ ବିଷୟରେ ସରକାର କିଛି ବି କହିନାହାନ୍ତି।

ଶ୍ରୀ ପ୍ରସାଦ କହିଛନ୍ତି, ଜାତୀୟ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଜରୁରୀ। ସପ୍ଲାଏ ଚେନ୍ ସୁରକ୍ଷା ପାଇଁ ସରକାର ଟେଲିକମ ସେକ୍ଟର ସେବା ଯୋଗାଣକାରୀଙ୍କ ପାଇଁ ବିଶ୍ୱାସ ଥିବା ଜିନିଷ ସମ୍ପର୍କରେ ଘୋଷଣା କରିବେ। ବର୍ତ୍ତମାନ ଅପରେସନ କରୁଥିବା ଉପକରଣ ଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକାଧିକ ଚାଇନିଜ ଆପ ଉପରେ ରୋକ ଲଗାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।