ଚାଇନାର ନୂଆ ଷଡ଼ଯନ୍ତ୍ର, ଅରୁଣାଚଳରେ ତିଆରି କରୁଛି ଗାଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚାଇନାର ଆଉ ଏକ ସାଂଘାତିକ ଷଡ଼ଯନ୍ତ୍ର। ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହୁଥିବା ଚାଇନା ଏବେ ସେଠାରେ ଅନୁପ୍ରବେଶ କରିଛି। ଖାଲି ଅନୁପ୍ରବେଶ କରିନାହିଁ, ବରଂ ଅରୁଣାଚଳରେ ଚାଇନା ପକ୍ଷରୁ ଗାଁ ମଧ୍ୟ ତିଆରି କରାଯାଉଛି। ଏହି ଗାଁରେ ପ୍ରାୟ ୧୦୧ଟି ଘର ରହିଛି। ଏବେ ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ୍‌ ଛବିରୁ ଚାଇନାର ଏହି ନୂଆ ଭେଳିକି ସମ୍ପର୍କରେ ତଥ୍ୟ ମିଳିଛି। ୨୦୨୦ ନଭେମ୍ବ ୧ରେ ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ୍‌ ଛବିକୁ ବିଭିନ୍ନ ବିଶେଷଜ୍ଞମାନେ […]

x

x

Hemant Lenka
  • Published: Monday, 18 January 2021
  • Updated: 18 January 2021, 03:47 PM IST

Sports

Latest News

ନୂଆଦିଲ୍ଲୀ: ବିସ୍ତାରବାଦୀ ଚାଇନାର ଆଉ ଏକ ସାଂଘାତିକ ଷଡ଼ଯନ୍ତ୍ର। ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହୁଥିବା ଚାଇନା ଏବେ ସେଠାରେ ଅନୁପ୍ରବେଶ କରିଛି। ଖାଲି ଅନୁପ୍ରବେଶ କରିନାହିଁ, ବରଂ ଅରୁଣାଚଳରେ ଚାଇନା ପକ୍ଷରୁ ଗାଁ ମଧ୍ୟ ତିଆରି କରାଯାଉଛି। ଏହି ଗାଁରେ ପ୍ରାୟ ୧୦୧ଟି ଘର ରହିଛି।

ଏବେ ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ୍‌ ଛବିରୁ ଚାଇନାର ଏହି ନୂଆ ଭେଳିକି ସମ୍ପର୍କରେ ତଥ୍ୟ ମିଳିଛି। ୨୦୨୦ ନଭେମ୍ବ ୧ରେ ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ୍‌ ଛବିକୁ ବିଭିନ୍ନ ବିଶେଷଜ୍ଞମାନେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ ଭାରତ ଓ ଚାଇନା ସୀମାରେ ବେଜିଂ ପକ୍ଷରୁ ଅନୁପ୍ରବେଶ କରାଯାଇଛି। ଚାଇନା ଭାରତୀୟ ସୀମାର ୪.୫ କିମି ଭିତରକୁ ଜୋରଜବରଦସ୍ତି ପ୍ରବେଶ କରିଛି। ଏଠାରେ ପ୍ରବେଶ କରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଗାଁ ମଧ୍ୟ ନିର୍ମାଣ କରୁଛି। ଯାହା ଭାରତର ଚିନ୍ତାକୁ ବଢ଼ାଇ ଦେଇଛି।

ଭାରତ ଓ ଚାଇନା ମଧ୍ୟରେ ଏହି ଅଞ୍ଚଳରେ ଥିବା ଉପର ସୁବାନସିରି ଜିଲ୍ଲାକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ଏଠାରେ ପ୍ରବାହିତ ହେଉଥିବା ଟିସାରି ଛୁ ନଦୀ କୂଳରେ ହିଁ ଚାଇନା ଅନୁପ୍ରବେଶ କରି ବେଧଡ଼କ ଗାଁ ନିର୍ମାଣ କରିଛି। ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ହିମାଳୟର ଇଷ୍ଟର୍ଣ୍ଣ ରେଞ୍ଜରେ ଚାଇନାର ଏଭଳି ବିସ୍ତାରବାଦୀ ନୀତି ସମସ୍ତଙ୍କୁ ଚିନ୍ତାରେ ପକାଇଛି। ୨୦୨୦ ଜୁନ୍‌ ୧୫ରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଭାରତର ଆକ୍ରମଣରେ ଏକାଧିକ ଚାଇନା ଯବାନ ମଧ୍ୟ ପ୍ରାଣ ହରାଇଥିଲେ। ହେଲେ ଚାଇନା ପ୍ରକୃତରେ କେତେ ସଂଖ୍ୟକ ସୈନ୍ୟ ପ୍ରାଣ ହରାଇଛନ୍ତି, ତା’ର ତଥ୍ୟ ଏଯାଏ ସାର୍ବଜନୀନ କରିନାହିଁ।

ଏସବୁ ଭିତରେ ଲଦାଖ ଛାଡ଼ି ଚାଇନା ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ କରିବା ଆରମ୍ଭ କରିଛି। ୨୦୨୦ ନଭେମ୍ବର ୧ରେ ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ୍‌ ଛବିରୁ ସ୍ପଷ୍ଟ ହେଉଛି ଯେ ଅରୁଣାଚଳ ସୀମାରେ ଗାଁ ନିର୍ମାଣ ହୋଇଛି। ଏହି ସ୍ଥାନରୁ ଶେଷ ଥର ପାଇଁ ୨୦୧୯ ଅଗଷ୍ଟ ୨୬ରେ ସ୍ୟାଟେଲାଇଟ୍‌ ଦ୍ୱାରା ଛବି ଉଠା ଯାଇଥିଲା। ସେତେବେଳେ ଏଠାରେ କୌଣସି ଗାଁର ଚିହ୍ନବର୍ଣ୍ଣ ନଥିଲା। ଏହାର ଅର୍ଥ ୨୦୧୯ ଅଗଷ୍ଟ ୨୬ ପରେ ହିଁ ଚାଇନା ଏଠାରେ ଗାଁର ନିର୍ମାଣ କାମ ଆରମ୍ଭ କରିଛି।

ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣା ସମ୍ପର୍କରେ କୁହାଯାଇଛି ଯେ ଭାରତ ସହ ଲାଗିଥିବା ସୀମାରେ ଚାଇନା ଭିତ୍ତିଭୂମି ନିର୍ମାଣ କରିଥିବା ରିପୋର୍ଟ ଆମେ ପାଇଛୁ। ବିଗତ କିଛି ବର୍ଷ ହେଲାଣି ଚାଇନା ବେଶ ସକ୍ରିୟ ଭାବେ ଏଭଳି ଭିତ୍ତିଭୂମି ନିର୍ମାଣ କାମ ଚାଲୁ ରଖିଛି।

ଆମ ସରକାର ମଧ୍ୟ ସୀମାନ୍ତ ଅଞ୍ଚଳରେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରି ଚାଲିଛନ୍ତି। ରାସ୍ତାଘାଟ ଠାରୁ ଆରମ୍ଭ କରି ସୀମାନ୍ତରେ ବ୍ରିଜ୍‌ ମଧ୍ୟ ନିର୍ମାଣ ହୋଇଛି। ସୀମାରେ ରହୁଥିବା ଲୋକଙ୍କ ପାଇଁ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଗମ କରିବାକୁ ଏପରି ବ୍ୟବସ୍ଥା ହୋଇଥିବା ଭାରତ ସରକାର କହିଛନ୍ତି। ତେବେ ଚାଇନା ସହ ଅରୁଣାଚଳ ପ୍ରଦେଶରେ ନିର୍ମାଣ ହେଉଥିବା ଗାଁ ସମ୍ପର୍କରେ ଆଲୋଚନା କରିଛନ୍ତି କି ନାହିଁ, ସେ ବିଷୟରେ ଭାରତ ସରକାର କିଛି ବି କହିନାହାନ୍ତି।

ନଭେମ୍ବର ମାସରେ ଯେତେବେଳେ ଏହି ଛବି ସାମ୍ନାକୁ ଆସିଥିଲା ସେତେବେଳେ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଉ ଲୋକସଭାକୁ ଚାଇନାର ଅନୁପ୍ରବେଶ ସମ୍ପର୍କରେ ଅବଗତ କରାଇଥିଲେ। ଆଜି ସେ କହିଛନ୍ତି, ଚାଇନା ଅରୁଣାଚଳରେ ଅନୁପ୍ରବେଶ କରି କେବଳ ଗାଁ ତିଆରି କରୁନାହିଁ, ବରଂ ଡବଲ ଲାଇନ ରାସ୍ତା ମଧ୍ୟ ନିର୍ମାଣ କରୁଛି।

ନିର୍ମାଣ କାମ ଏବେ ବି ଜାରି ରହିଛି। ଚାଇନା ଉପର ସୁବାନସିରି ଜିଲ୍ଲାର ୬୦ରୁ ୭୦ କିମି ଭିତରକୁ ପ୍ରବେଶ କରି ସାରିଲାଣି। ଆପଣ ଯଦି ନଦୀ ପଥକୁ ଅନୁସରଣ କରିବେ, ତା’ହେଲେ ଏ ବିଷୟରେ ଭଲ ଭାବେ ଜାଣି ପାରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos