ଆମେରିକା ବିରୋଧରେ ଚାଇନାର କାର୍ଯ୍ୟାନୁଷ୍ଠାନ: ଦୂତାବାସ ବନ୍ଦ କରିବାକୁ ନିର୍ଦ୍ଦେଶ

ବେଜିଂ: ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆହୁରି ଜଟିଳ ହୋଇଛି। ଆମେରିକା ଗୁଇନ୍ଦାଗିରି ଅଭିଯୋଗରେ ହୋଷ୍ଟନରେ ଥିବା ଚାଇନା ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାରୁ ବେଜିଂ ମଧ୍ୟ ପାଲଟା ଜବାବ ଦେଇଛି। ଏବେ ଚାଇନା ପକ୍ଷରୁ ଚେଙ୍ଗୁଡୁ ଠାରେ ଥିବା ଆମେରିକା ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆମେରିକା ରହି ଚାଇନାର ଅଧିକାରୀମାନେ ଟେକସାସରେ ଥିବା ମେଡିକାଲ ଓ ଅନ୍ୟ ଗବେଷଣାତ୍ମକ ତଥ୍ୟକୁ ଚୋରି କରୁଥିବା ଅଭିଯୋଗ କରି ହୋଷ୍ଟନରେ ଥିବା ବେଜିଂ ଦୂତାବାସକୁ ବନ୍ଦ କରିବାକୁ କହିଥିଲା। ଏହାପରେ ଚାଇନା କହିଥିଲା ଯେ ୱାଶିଂଟନ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ଦରକାର। କିନ୍ତୁ ଆମେରିକା କିଛି ବି ଶୁଣି ନଥିଲା। ତେଣୁ ଏବେ ଚାଇନା ଆମେରିକା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆମେରିକା ଯେଉଁଭଳି ଏକପାଖିଆ ଓ ଅନ୍ୟାୟ ଭାବେ ଆମ ବିରୋଧରେ ନିଷ୍ପତ୍ତି ନେଲା, ଆମେ ବାଧ୍ୟ ହୋଇ ନିଜର ସମ୍ମାନ ଓ ସୁରକ୍ଷା ପାଇଁ ଅନୁରୂପ ପଦକ୍ଷେପ ଗ୍ରହଣ କରିଛୁ। ଚାଇନା ଓ ଆମେରିକା ସମ୍ପର୍କରେ ଫାଟ ସୃଷ୍ଟି ହେଉ ବୋଲି ବେଜିଂ କେବେ ହେଲେ ଚାହୁଁ ନଥିଲା।

ଆଜି ଯାହା ବି ହେଉଛି, ସେଥିପାଇଁ ଆମେରିକା ହିଁ ଦାୟୀ। ଆମେ ତଥାପି ଆମେରିକାକୁ ନିଜର ତ୍ରୁଟି ସୁଧାରିବାକୁ ନିବେଦନ କରୁଛୁ ଓ ପୁଣିଥରେ ସମ୍ପର୍କର ସେତୁ ଆରମ୍ଭ କରିବାକୁ ପରାମର୍ଶ ଦେଉଛୁ।”

ଚେଙ୍ଗୁଡୁ ବ୍ୟତୀତ ଚାଇନାର ବେଜିଂ, ଉହାନ, ସଂଘାଇ, ଗୁଆନଗୁଜହୁ ଓ ଶେନୟାଙ୍ଗରେ ବି ଆମେରିକାର ଦୂତାବାସ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।