ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିଜେଆଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୪ ଲକ୍ଷ ମାମଲା ବିଭିନ୍ନ କୋର୍ଟରେ ପଡ଼ି ରହିଛି। ଏଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ଥର ଚିଠି ଲେଖିଥିବା ଜଣାପଡ଼ିଛି। ଚିଠିରେ ସେ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି କରିବା ଓ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୨ରୁ ୬୫ […]

s

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 01:09 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୪ ଲକ୍ଷ ମାମଲା ବିଭିନ୍ନ କୋର୍ଟରେ ପଡ଼ି ରହିଛି। ଏଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ଥର ଚିଠି ଲେଖିଥିବା ଜଣାପଡ଼ିଛି।

ଚିଠିରେ ସେ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି କରିବା ଓ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୧ ରହିଛି। ଏହାକୁ ଆହୁରି ବୃଦ୍ଧି କରାଯାଉ ବୋଲି ସିଜେଆଇ କହିଛନ୍ତି।

ସିଜେଆଇ ଲେଖିଥିବା ଚିଠିରେ କହିଛନ୍ତି, “ଭାରତୀୟ ସମ୍ବିଧାନର ଧାରା ୧୨୮ ଓ ୨୨୪ଏକୁ ପରିବର୍ତ୍ତନ କରାଯାଉ। କାରଣ ଏହାଦ୍ୱରା ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିମାନେ ପଡ଼ି ରହିଥିବା ମାମଲାର ବିଚାର କରିବା ପାଇଁ ପୁଣିଥରେ ସୁଯୋଗ ପାଇପାରିବେ। ଦୀର୍ଘ ଦଶନ୍ଧି ପରେ ସୁପ୍ରିମକୋର୍ଟରେ ୩୧ଟି ଯାକ ବିଚାରପତି ପଦ ପୂରଣ ହୋଇଛି। ତେବେ ସୁପ୍ରିମକୋର୍ଟରେ ପ୍ରାୟ ୫୮,୬୬୯ଟି ମାମଲା ବିଚାର ଅପେକ୍ଷାରେ ରହିଛି।

ଏଥିସହ ଏହି ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ୨୫ ବର୍ଷ ହେଲାଣି ୨୬ଟି ମାମଲା, ୨୦ ବର୍ଷ ହେଲାଣି ୧୦୦ଟି ମାମଲା, ୧୫ ବର୍ଷ ହେଲାଣି ୫୯୩ଟି ମାମଲା ଓ ୧୦ ବର୍ଷ ହେଲାଣି ୪,୯୭୭ଟି ମାମଲା ବିଚାର ପାଇଁ ପଡ଼ି ରହିଛି। ବିଚାରପତିଙ୍କୁ ଅଭାବ ଯୋଗୁ ସିଜେଆଇ ଗୁରୁତ୍ୱପୂର୍ଣ୍ଣ ମାମଲାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୧୯୯୮ରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୧୮ରୁ ୨୬କୁ ବୃଦ୍ଧି କରାଯାଇଥିଲା। ସେହିପରି ୨୦୦୯ରେ ଏହି ସଂଖ୍ୟା ୩୧ରେ ପହଞ୍ଚିଥିଲା।

୨୦୦୭ରେ ମାମଲା ସଂଖ୍ୟା ୪୧,୦୭୮ ଥିବା ବେଳେ ବର୍ତ୍ତମାନ ଏହା ୫୯,୬୬୯ରେ ପହଞ୍ଚିଛି। ତେଣୁ ପ୍ରଧାନମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ।”

ହାଇକୋର୍ଟ ବିଚାରପତିଙ୍କ ଅବସର ବୟସକୁ ବୃଦ୍ଧି କରିବା ସମ୍ପର୍କରେ ସିଜେଆଇ ଜଷ୍ଟିସ୍‌ ଗୋଗୋଇ କହିଛନ୍ତି, “ଦେଶର ୨୪ଟି ହାଇକୋର୍ଟରେ ୪୩ ଲକ୍ଷରୁ ଅଧିକ ମାମଲା ପଡ଼ି ରହିଛି। ବିଚାରପତିଙ୍କ ସଂଖ୍ୟା କମ୍‌ ଥିବାରୁ ମାମଲା ଗୁଡ଼ିକର ତ୍ୱରିତ ବିଚାର ହୋଇପାରୁନାହିଁ। ବର୍ତ୍ତମାନ ଦେଶରେ ଥିବା ୩୯୯ଟି ହାଇକୋର୍ଟର ବିଚାରପତି ପଦ ଖାଲି ପଡ଼ିଛି। ତେଣୁ ଏଗୁଡ଼ିକ ତୁରନ୍ତ ପୂରଣ ହେବା ଦରକାର। ମୋ ମତରେ ଏବେ ସମୟର ଆବଶ୍ୟକତା ଅନୁଯାୟୀ, ବିଚାରପତିଙ୍କ ଅବସର ବୟସସୀମା ୬୨ରୁ ୬୫ କରିବା ଦରକାର। ଏହାଦ୍ୱାରା ଖାଲି ପଡ଼ୁଥିବା ବିଚାରପତିଙ୍କ ସଂଖ୍ୟା କମି ପାରିବ ଓ ପଡ଼ି ରହୁଥିବା ମାମଲାର ବିଚାର ମଧ୍ୟ ହୋଇପାରିବ।”

ଅନ୍ୟପକ୍ଷାରେ ଷ୍ଟାଣ୍ଡିଂ କମିଟି ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୨ରୁ ୬୫ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୫ରୁ ୬୭ କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଜାନୁଆରୀ ମାସରେ ଆଇନ୍‌ ମନ୍ତ୍ରଣାଳୟ ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରସ୍ତାବ ଆସି ନଥିବା କହିଥିଲା।

Related story