ରେଳ ଟ୍ରାକ୍‌ରେ ଥିବା ୪୮ ହଜାର ବସ୍ତିକୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ରେଳବାଇ ଟ୍ରାକ ଓ ଏହା ପାଖରେ ଥିବା ପ୍ରାୟ ୪୮ ହଜାର ବସ୍ତିକୁ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ବସ୍ତିଗୁଡ଼ିକ ଉଚ୍ଛେଦ କରାଯିବ। ତେବେ ବସ୍ତି ଉଚ୍ଛେଦ ବେଳେ ଏଥିରେ କୌଣସି ପ୍ରକାରର ରାଜନୀତିକ ହସ୍ତକ୍ଷେପ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଶେଷ ଭାବେ ନିଜ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ସୁରକ୍ଷା ବଳରେ ଥିବା ଉଚ୍ଛେଦ କାମ ୩ ମାସ ମଧ୍ୟରେ ଶେଷ ହେବ। ଏଥିରେ କୌଣସି ପ୍ରକାରର ରାଜନୀତିକ କିମ୍ବା ଅନ୍ୟ ହସ୍ତକ୍ଷେପ ହୋଇପାରିବ ନାହିଁ। କୌଣସି କୋର୍ଟ ମଧ୍ୟ ଉଚ୍ଛେଦ କାମକୁ ହଟାଇବାକୁ ରୋକ ଲଗାଇ ପାରିବେ ନାହିଁ। ଯଦି କୌଣସି କୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରନ୍ତି, ତା’ହେଲେ ଏହା କିଛି ବି କାମରେ ଆସିବ ନାହିଁ ବୋଲି ଗତକାଲି ଅବସର ନେଇଥିବା ଜଷ୍ଟିସ ମିଶ୍ର କହିଛନ୍ତି।

ରେଳବାଇ ପକ୍ଷରୁ ସତ୍ୟପାଠରେ କୁହାଯାଇଥିଲା ଯେ ଦିଲ୍ଲୀରେ ଥିବା ରେଳ ଟ୍ରାକ୍‌ ପାଖରେ ଥିବା ବସ୍ତି ଗୁଡ଼ିକୁ ଉଚ୍ଛେଦ ପାଇଁ ଗୋଟିଏ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ ହୋଇଥିଲା। ତେବେ ଉଚ୍ଛେଦ କାର୍ଯ୍ୟକୁ ଯାଞ୍ଚ କରିବା ବେଳେ ସେମାନେ ରାଜନୀତିକ ହସ୍ତକ୍ଷେପର ସମ୍ମୁଖୀନ ହୋଇଥିଲେ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀର ରେଳ ଟ୍ରାକ ନିକଟରେ ଥିବା ବିସ୍ତିକୁ ଉଚ୍ଛେଦ କରିବା ପାଇଁ ୨୦୧୮ ଅକ୍ଟୋବର ମାସରେ ଏହି ଏସଟିଏଫ ଗଠନ ହୋଇଥିଲା। ଏହାପରେ ଆଜି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ