କଂଗ୍ରେସ ନେତା ସୈଫୁଦ୍ଦିନଙ୍କ ଅଟକକୁ ନେଇ ସୁପ୍ରିମକୋର୍ଟଙ୍କୁ ମିଛି କହିଛନ୍ତି ସରକାର!
ନୂଆଦିଲ୍ଲୀ: କଂଗ୍ରେସ ନେତା ସୈଫୁଦ୍ଦିନ ସୋଜଙ୍କ ଅଟକୁ ନେଇ ସୁପ୍ରିମକୋର୍ଟରେ ଜମ୍ମୁ-କଶ୍ମୀର ପ୍ରଶାସନ ମିଛ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ଜମ୍ମୁ-କଶ୍ମୀର ପ୍ରଶାସନ ସୈଫୁଦ୍ଦିନ କୌଣସି ପ୍ରକାରର ଅଟକ ନାହାନ୍ତି ବୋଲି ସୁପ୍ରିମକୋର୍ଟକୁ ଅବଗତ କରାଇଥିଲା। ଏହାପରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ତାଙ୍କ ସହ କଥା ହେବାକୁ ଜମ୍ମୁ-କଶ୍ମୀର ସ୍ଥିତ ବାସଭବନରେ ପହଞ୍ଚିଥିଲା। ତେବେ ଏଠାରେ ଯାହା ଦେଖିବାକୁ ମିଳିଛି, ତାହା ପ୍ରଶାସନ ଦାଖଲ କରିଥିବା ସତ୍ୟପାଠ ଠାରୁ ସଂପୂର୍ଣ୍ଣ ଭିନ୍ନ।
ସତ୍ୟପାଠରେ ପ୍ରଶାସନ କହିଥିଲା ଯେ ସୈଫୁଦ୍ଦିନଙ୍କ ଯାତାୟାତରେ କୌଣସି କଟକଣା ଲାଗୁ କରାଯାଇନାହିଁ। ହେଲେ ଆଜି ତାଙ୍କ ବାସଭନରେ ମୁତୟନ ହୋଇଥିବା ପୁଲିସ୍ ଅଧିକାରୀମାନେ ତାଙ୍କୁ ଗଣମାଧ୍ୟମ ସହ କଥା ହେବାକୁ ମଧ୍ୟ ଦେଇନାହାନ୍ତି। ତାଙ୍କୁ ବାସଭବନ ମଧ୍ୟରେ ଗୃହବନ୍ଦୀ କରି ରଖାଯାଇଥିବା ଦେଖିବାକୁ ମିଳିଛି।
ସେ ଘରର ପାଚେରୀ ବାଟେ ଇଣ୍ଡିଆ ଟୁଡେ ପ୍ରତିନିଧିଙ୍କ ସହ କଥା ହେବାକୁ ଚେଷ୍ଟା କଲା ବେଳେ କିଛି ସାଧା ପୋଷାକଧାରୀ ପୁଲିସ୍ ତାଙ୍କୁ ଜୋରଜବରଦସ୍ତି ଭିତରକୁ ଟାଣି ନେଇଥିଲେ। ସେ ଏହି ସମୟରେ କହିଥିଲେ ଯେ “ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ମୁଁ ଅଟକ ଦଣ୍ଡରୁ ମୁକ୍ତ। ହେଲେ ଏଠାରେ ମୁତୟନ ଥିବା ଅଧିକାରୀମାନେ ମୋତେ ଏଠାରୁ ଛାଡ଼ିବାକୁ ନାରାଜ। ବର୍ତ୍ତମାନ ମୁଁ କ’ଣ କରିବି? ମୁଁ ଏବେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବି। ସୁପ୍ରିମକୋର୍ଟରେ ସରକାର କହିଥିବା ମିଛର ପର୍ଦ୍ଦାଫାସ କରିବି।”
Govt has told SC that I am a free person but the officials here don't agree to it: Senior Congress leader Saifuddin Soz tells @ShujaUH#ITVideo pic.twitter.com/x36nSm6uAp
— IndiaToday (@IndiaToday) July 30, 2020
ବାସ୍ ଏହି ସମୟରେ କିଛି ପୁଲିସ ଅଧିକାରୀ ତାଙ୍କ ପଛରୁ ପାଚେରୀ ଉପରେ ଛଡ଼ି ଜୋରଜବରସ୍ତି ତଳକୁ ନେଇ ଯାଇଥିଲେ। ଏଥିସହ ସେମାନେ ଗଣମାଧ୍ୟମକୁ ଏଠାରୁ ଚାଲି ଯିବାକୁ ମଧ୍ୟ କହିଥିଲେ। ସୈଫୁଦ୍ଦିନଙ୍କୁ ତଳକୁ ନେବା ବେଳେ ସେ ତାଙ୍କୁ ନ ଛୁଇଁବାକୁ ମଧ୍ୟ ଶୁଣିବାକୁ ମିଳୁଛି।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନ ଠାରୁ ତାଙ୍କୁ ଅଟକ ରଖାଯାଉଛି। ଏହାକୁ ଗୋଟିଏ ବର୍ଷ ବିତିବାକୁ ବସିଲାଣି। ସୈଫୁଦ୍ଦିନ ଇଣ୍ଡିଆ ଟୁଡେକୁ କହିଛନ୍ତି, “ମୁଁ ଘରୁ ବାହାରି ପାରୁନାହିଁ କି ମୋ ଝିଅକୁ ଦେଖା କରିପାରୁନାହିଁ। ମୋର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। କଏଦୀଙ୍କ ଭଳି ମୋତେ ବ୍ୟବହାର କରାଯାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।