ନେତାଜୀ, ଭଗତ ସିଂହ ଓ ସଭରକରଙ୍କ ମୂର୍ତ୍ତି ସ୍ଥାପନକୁ ନେଇ ବିବାଦ

ନୂଆଦିଲ୍ଲୀ: ବିନା ଅନୁମତିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପି ପ୍ରତିଷ୍ଠା କରିଥିବା ନେତାଜୀ, ଭଗତ ସିଂହ ଓ ସଭରକରଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିବାଦ ପରେ ଏବିଭିପି ପକ୍ଷରୁ ଏହି ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ସେପ୍ଟେମ୍ବର ୧୨ରେ ଛାତ୍ର ସଂସଦ ନିର୍ବାଚନ ଥିବାରୁ ଗତକାଲି ଏବିଭିପି ପକ୍ଷରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କଳା ବିଭାଗର କାର୍ଯ୍ୟାଳୟ ବାହାରେ ଥିବା ଏକ ଖମ୍ଭ ଉପରେ ନେତାଜୀ, ଭଗତ ସିଂହ ଓ ଇଂରେଜ ମାନଙ୍କୁ କ୍ଷମା ମାଗି ଜେଲ ମିଆଦ କମାଇଥିବା ସଭରକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବେ ଏବିଭିପିର ଛାତ୍ର ସଂସଦ ରହିଛି। ଛାତ୍ର ସାଂସଦ ସଭାପତି ଶକ୍ତି ସିଂହ କହିଛନ୍ତି, “ଆମେ ଏଭଳି ଏକ ପ୍ରତିମୂର୍ତ୍ତିର ସ୍ଥାପନ ପାଇଁ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲୁ।

ଗତ ନଭେମ୍ବର, ଚଳିତ ବର୍ଷ ମାର୍ଚ୍ଚ, ଏପ୍ରିଲ ଓ ଅଗଷ୍ଟ ମାସରେ ମଧ୍ୟରେ ଚିଠି ଲେଖି ଅନୁମତି ମାଗିଥିଲୁ। ତେବେ ଏହାର କୌଣସି ଉତ୍ତର ନ ମିଳିବାରୁ ଆମେ ବାଧ୍ୟ ହୋଇ ଆଗକୁ ବଢ଼ିଥିଲୁ। ସଭରକରଙ୍କ ବିଷୟରେ ମିଥ୍ୟା ପ୍ରଚାର କରାଯାଉଥିବାରୁ ଆମେ ନେତାଜୀ ଏବଂ ଭଗତ ସିଂହଙ୍କ ସହିତ ତାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିଥିଲୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।