ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ବିନୟ

ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲା। ବିନୟ ଓ ମୁକେଶ ହିଁ ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ।

ଏହା ଖାରଜ ହେବା ପରେ ମୁକେଶ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ରାଷ୍ଟ୍ରପତି ତା’ର କ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଛି। ସେ ଫାଶୀ ଦଣ୍ଡକୁ ଆଜୀବନ ଜେଲ ଦଣ୍ଡରେ ପରିଣତ କରିବାକୁ ନିବେଦନ କରିଥିବା ବରିଷ୍ଠ ଓକିଲ ଏପି ସିଂହ ସୂଚନା ଦେଇଛନ୍ତି।

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ବିନୟ ସହ ମୁକେଶ କୁମାର ସିଂହ, ଅକ୍ଷୟ ସିଂହ ଠାକୁର ଓ ପବନ ଗୁପ୍ତାକୁ ଫାଶୀ ଦଣ୍ଡ ମିଳିଛି। ଏପରି କି ସେମାନଙ୍କୁ ଆସନ୍ତା ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି।

ହେଲେ ଏହାକୁ ବିଳମ୍ବିତ କରିବା ପାଇଁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ଭେଳିକି ଆରମ୍ଭ କରିଛନ୍ତି। ବିନୟ ରାଜକ୍ଷମା ଆବେଦନ କରିଥିବାରୁ ଆସନ୍ତା ୧ ତାରିଖରେ ସେମାନଙ୍କୁ ଫାଶୀ ହୋଇ ନପାରେ। କାରଣ ନିୟମ ଅନୁଯାୟୀ, ଜଣେ ଦୋଷୀର ରାଜକ୍ଷମା ଆବେଦନ ଖାରଜ ହେବାର ୧୪ ଦିନ ପରେ ହିଁ ତା’କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ପୂର୍ବରୁ କୋର୍ଟ ଡିସେମ୍ବର ୨୨ ପାଇଁ ଫାଶୀ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ ମୁକେଶ ରାଜକ୍ଷମା ଆବେଦନ କରିବାକୁ ଏହାକୁ ୧ ତାରିଖକୁ ଘୁଞ୍ଚା ଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।