କରୋନା ପଞ୍ଝାରେ ସାରା ବିଶ୍ୱ, ମୃତ୍ୟୁସଂଖ୍ୟା ୪୬ ଶହ ପାର

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଚାଇନାରେ ମୃତ୍ୟୁସଂଖ୍ୟା କମୁଥିଲେ ହେଁ ବିଶ୍ୱର ଅନ୍ୟ ପ୍ରାନ୍ତରେ ଏହା ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୨୪ରୁ ଅଧିକ ଦେଶରେ କାୟାବିସ୍ତାର କରିଥିବା କରୋନା ଭାଇରସ ଚାଇନା ପରେ ଇଟାଲୀ ଓ ଇରାନକୁ କଲବଲ କରିବା ଆରମ୍ଭ କରିଛି।

ଇଟାଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁସଂଖ୍ୟା ୩୧% ବୃଦ୍ଧି ପାଇଛି। ଯାହା ଇଟାଲୀ ସମେତ ସାରା ବିଶ୍ୱକୁ ଆତଙ୍କିତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କରୋନାରେ ୧,୨୬, ୩୬୭ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁସଂଖ୍ୟା ୪୬୩୩ରେ ପହଞ୍ଚିଛି। ତେବେ ୬୮,୩୦୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି।

ଚାଇନା, ଇଟାଲୀ ଓ ଇରାନରେ ପ୍ରାଣଘାତୀ ସାଜିଥିବା କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ବିଶ୍ୱବ୍ୟାପୀ ମହାମାରୀ ବୋଲି ନାମିତ କରିଛି। ଭାରତ ସରକାର ଏପ୍ରିଲ ୧୫ ଯାଏ ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କ ଭିସାକୁ ରଦ୍ଦ କରିଦେଇଛନ୍ତି।

ଆମେରିକାରେ ଏଯାଏ ୩୮ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୩ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଟ୍ରମ୍ପ ପ୍ରଶାସନ ୟୁରୋପ ସହ ସମସ୍ତ ଯୋଗାଯୋଗକୁ ବିଚ୍ଛିନ୍ନ କରିଦେଇଛି।

ଚାଇନାରେ ସୃଷ୍ଟି ହୋଇଥିବା କରୋନା ଗତ ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୧୬୯ ରହିଛି। ଏହାପରେ ଇଟାଲୀରେ ଗତ ୨୪ ଘଣ୍ଟାରେ ୧୯୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୮୨୭ରେ ପହଞ୍ଚି ଯାଇଛି।  ସେହିପରି ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୪୯ରୁ ବଢ଼ି ୧୨, ୪୬୨ ଛୁଇଁଛି।

ଏହବାଦ ଇରାନରେ ୩୫୪, ଦକ୍ଷିଣ କୋରିଆରେ ୬୬, ଫ୍ରାନ୍ସରେ ୪୮, ଆମେରିକାରେ ୩୮, ସ୍ପେନରେ ୫୫, ଜର୍ମାନୀରେ ୩, ସ୍ୱିଜରଲ୍ୟାଣ୍ଡରେ ୪,  ଜାପାନରେ ୧୫, ଇରାକରେ ୭ , ହଂକଂରେ ୩, ଅଷ୍ଟ୍ରେଲିଆରେ ୩, ଫିଲିପାଇନ୍ସରେ ୧, ନେଦରଲ୍ୟାଣ୍ଡସରେ ୧, ଆର୍ଜେଣ୍ଟିନାରେ ୧, ଇଜିପ୍ଟିରେ ୧, ତାଇୱାନରେ ୧, ଥାଇଲ୍ୟାଣ୍ତରେ ୧ ଓ କ୍ୟାନାଡାରେ ଜଣଙ୍କ ମୁଣ୍ଡ ନେଇଛି କରୋନା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।