ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା ଦେଲା ଭଲ ଖବର

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତରେ ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ନେଇ ଭଲ ଖବର ଆସିଛି। ଭାରତ ବୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି।

ସେହିପରି ଟିକା ନେବା ପରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁନାହିଁ। ଭାରତ ସରକାର ଖୁବଶୀଘ୍ର ୩ଟି ଟିକାକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଯୋଜନା କରୁଛନ୍ତି। ଏହା ମଧ୍ୟରେ କୋଭାକ୍ସିନ ମଧ୍ୟ ରହିଥିଲା। ଏବେ କୋଭାକ୍ସିନକୁ ନେଇ ଆସିଥିବା ପରୀକ୍ଷା ରିପୋର୍ଟ ଲୋକଙ୍କୁ ଆଶ୍ୱସ୍ତ କରିଛି।

ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ଅନ୍ତରୀଣ ରିପୋର୍ଟ ଅନୁଯାୟୀ, ଟିକା ନେବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହେଉଛି। ସବୁ ବର୍ଗର ଲୋକଙ୍କ ଶରୀରେ ଟିକାର ଡୋଜ୍‌ କୌଣସି ପ୍ରକାରର କ୍ଷତିକାରକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁନାହିଁ। ଜୁଲାଇ ୩୦ରେ ଜଣେ ବ୍ୟକ୍ତିଙ୍କ ଟିକାର ଡୋଜ ନେଇଥିଲେ।

ଏହାର ୫ ଦିନ ପରେ ତାଙ୍କ ଶରୀରରେ ଜ୍ୱର ଓ ମୁଣ୍ଡବ୍ୟଥା ସମସ୍ୟା ସୃଷ୍ଟି ହୋଇଥିଲା। ତେବେ କିଛି ଦିନ ପରେ ଏହି ସମସ୍ୟା ଦୂର ହୋଇଥିଲା। ତାଙ୍କୁ କୌଣସି ମେଡିସିନ କିମ୍ବା ହସ୍ପିଟାଲ ଯିବାକୁ ପଡ଼ି ନଥିଲା। ସେହିପରି ଟିକା ନେଇଥିବା ସ୍ଥାନରେ ସାମାନ୍ୟ କଷ୍ଟ ଅନୁଭବ ହୋଇଥିଲା। କିନ୍ତୁ ସମୟକ୍ରମେ ଏହା ମଧ୍ୟ ଦୂର ହୋଇଯାଇଥିଲା।

ଅନ୍ୟପକ୍ଷରେ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପୂର୍ବରୁ ଭାରତ ସରକାର ୩ଟି ଯାକ ଫେଜର ରେଜଲ୍ଟକୁ ସମୀକ୍ଷା କରିବେ।

ବର୍ତ୍ତମାନ ଏହି ଟିକାର ଫେଜ୍-୩ ଟ୍ରାଏଲ ଚାଲିଛି। ଏଥିରେ ୨୫,୮୦୦ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି। ଏଥିରେ ୧୮ରୁ ୫୫ ବର୍ଷ ବୟସର ବ୍ୟକ୍ତି ଅଛନ୍ତି। ଫେଜ୍‌ ୧ ଟ୍ରାଏଲରେ ୩୭୫ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।