ସବୁ ଅପେକ୍ଷାର ଅନ୍ତ, ୧୬ରୁ ସମଗ୍ର ଦେଶରେ ଆରମ୍ଭ ହେବ ଟିକାକରଣ
ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ଛଟପଟ ହେଉଥିବା ଲୋକଙ୍କୁ ମିଳିବ ସଞ୍ଜିବନୀ। ଆସନ୍ତା ୧୬ ତାରିଖରୁ କରୋନାକୁ ମାତ୍ ଦେବାକୁ ଭାରତରେ ଆରମ୍ଭ ହେବ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ୩ କୋଟି ଲୋକଙ୍କୁ ଟିକା ଦେବେ। ଏହି ପର୍ଯ୍ୟାୟରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଜାନୁଆରୀ ୩ରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଭାରତରେ ଜରୁରୀ କାଳୀନ ବ୍ୟବହାର କରିବାକୁ ଡିସିଜିଆଇ ଅନୁମତି ଦେଇଥିଲା। ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ କରୋନା ଟିକାର ଡ୍ରାଏରନ କରାଯାଇଥିଲା। ଏହି ସମୟରେ କାହାକୁ ଟିକା ଦିଆଯାଇ ନଥିଲା। ହେଲେ ଟିକାକରଣ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିଲା।
Vaccination drive to kick off on 16th Jan, 2021. Priority will be given to the healthcare workers and the frontline workers, estimated to be around 3 cr, followed by those above 50 years and the under-50 population groups with co-morbidities numbering around 27 cr: Govt of India pic.twitter.com/M4CzcBzMqf
— ANI (@ANI) January 9, 2021
ଏହାର ରେଜଲ୍ଟ ସକାରାତ୍ମକ ରହିଥିବାରୁ ଭାରତ ସରକାର ୧୬ ତାରିଖରୁ ଦେଶରେ କରୋନାକୁ ମାତ୍ ଦେବାକୁ ଟିକାକରଣ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଟିକାକରଣ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମିଟିଂ ବସିଥିଲା। ମିଟିଂରେ କ୍ୟାବିନେଟ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସାମିଲଥିଲେ। ଏହି ବୈଠକରେ ହିଁ ୧୬ ତାରିଖରୁ ଟିକାକରଣ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ କରୋନା ଟିକାର ପରିବହନ ମଧ୍ୟ ଆରମ୍ଭ ହୋଇଯାଇଛି। କରୋନାର ଟିକାର ପରିବହନ ପାଇଁ କେନ୍ଦ୍ର ସରକାର ଯାତ୍ରୀବାହୀ ବିମାନଗୁଡ଼ିକୁ ଅନୁମତି ଦେଇଛନ୍ତି। ପୁଣେରେ ହିଁ କରୋନା ଟିକାର ବିତରଣ ପାଇଁ ମୁଖ୍ୟ ଡିପୋ ତିଆରି କରାଯାଇଛି।
ଟିକାକୁ ଦେଶର ୪୧ଟି ସ୍ଥାନରେ ପହଞ୍ଚାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
ଉତ୍ତର ଭାରତରେ କରୋନା ଟିକା ପହଞ୍ଚାଇବା ପାଇଁ ଦିଲ୍ଲୀ ଓ ହରିଆଣାର କର୍ଣ୍ଣାଲରେ ମିନି ହବ୍ ତିଆରି କରାଯିବ। ପୂର୍ବ ଭାରତ ପାଇଁ କରୋନା ଟିକାର ହବ୍ କୋଲକାତାରେ ହେବ। ଉତ୍ତର ପୂର୍ବ ପାଇଁ ଏଠାରେ ଗୋଟିଏ ନୋଡାଲ ପଏଣ୍ଟ ମଧ୍ୟ ଖୋଲାଯିବ। ଦକ୍ଷିଣ ଭାରତ ପାଇଁ କରୋନାର ଟିକାର ଡିପୋ ଚେନ୍ନାଇ ଓ ହାଇଦ୍ରାବାଦରେ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।