ଟିକାକରଣ ପାଇଁ ସଜବାଜ: ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କ’ଣ କହିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଆସନ୍ତାକାଲି ଆରମ୍ଭ ହେବାକୁ ଥିବା କରୋନା ଟିକାର ଡ୍ରାଏରନ ପୂର୍ବରୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ। ଏହି ସମୟରେ ସେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି। ଏଥିସହ ଡ୍ରାଏରନ ବେଳେ ଟିକାକରଣ ସମ୍ପର୍କରେ ମିଳୁଥିବା ତଥ୍ୟକୁ ଆଧାର କରି ଏହାକୁ ବିକାଶ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବୈଜ୍ଞାନିକମାନେ ଖୁବଶୀଘ୍ର ନିଜର କଠିନ ପରିଶ୍ରମ ବଳରେ କରୋନାକୁ ମାତ୍‌ ଦେବାର କ୍ଷମତା ରଖିଥିବା ଟିକା ବାହାର କରିଥିବାରୁ ଡା. ହର୍ଷବର୍ଦ୍ଧନ ସମସ୍ତଙ୍କୁ ସଲାମ ମଧ୍ୟ କରିଛନ୍ତି।

ସେ କହିଛନ୍ତି, ଡିସେମ୍ବର ୨୮ ଓ ୨୯ରେ ୪ଟି ରାଜ୍ୟରେ ଡ୍ରାଏରନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମୟରେ ମିଳିଥିବା ତଥ୍ୟକୁ ସମୀକ୍ଷା କରାଯାଉଛି। ଏଥିରୁ ମିଳିବାକୁ ତଥ୍ୟକୁ ଆଧାର କରି ଆମେ ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ତା’ର ବ୍ୟବସ୍ଥା କରିବୁ। ଆସନ୍ତାକାଲି ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାର ଡ୍ରାଏରନ ହେବ।

ଖୁବଶୀଘ୍ର ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଉପଲବ୍ଧ ହେବ। ସବୁଠାରେ ଟିକା ପହଞ୍ଚାଇବା ହିଁ ଆମର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପରାମର୍ଶକ୍ରମେ ପ୍ରଥମ ପର୍ଯ୍ୟାୟରେ କରୋନା ସହ ସିଧାସଳଖ ଲଢ଼େଇ କରୁଥିବା ଓ ସଂକ୍ରମିତ ହେବାର ଆଶଙ୍କା ଥିବା ଲୋକଙ୍କର ଟିକାକରଣ କରାଯିବ।

ମହାରାଷ୍ଟ୍ର, କେରଳ ଓ ଛତିଶଗଡ଼ରେ ହଠାତ୍‌ କରୋନା ସଂକ୍ରମଣର ହାର ବଢ଼ିଛି। ଏହା ଆମ ପାଇଁ ଏକ ସତର୍କ ସୂଚନା। ଆମକୁ ଏବେ ବି କରୋନା ବିରୋଧରେ ଲଢ଼େଇ କରିବାକୁ ହେଲେ, ସତର୍କ ରହିବାକୁ ପଡ଼ିବ। ଟିକାକରଣ ପ୍ରକ୍ରିୟା ବେଳେ ଅନେକ ଗୁଜବ ପ୍ରଚାର ହୋଇପାରେ। ତେଣୁ ଏହାକୁ ମୁକାବିଲା କରି ସଫଳତାର ସହ ଟିକାକରଣ ପ୍ରକ୍ରିୟା ଶେଷ କରିବାକୁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ।

ରାଜ୍ୟଗୁଡ଼ିକ ଟିକାର ଡ୍ରାଏରନ ପାଇଁ ପ୍ରସ୍ତୁତ ହେଉଛନ୍ତି। ହେଲେ ଏହି ସମୟରେ ଯେମିତି ନିୟମିତ ସ୍ୱାସ୍ଥ୍ୟସେବା ପ୍ରଭାବିତ ନ ହେବ, ତା’କୁ ମଧ୍ୟ ସମସ୍ତଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କରୋନା ଟିକାର ପରିବହନ ଆଜି କିମ୍ବା ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ। କରୋନାର ଟିକାର ପରିବହନ ପାଇଁ କେନ୍ଦ୍ର ସରକାର ଯାତ୍ରୀବାହୀ ବିମାନଗୁଡ଼ିକୁ ଅନୁମତି ଦେଇଛନ୍ତି। ପୁଣେରେ ହିଁ କରୋନା ଟିକାର ବିତରଣ ପାଇଁ ମୁଖ୍ୟ ଡିପୋ ତିଆରି କରାଯାଇଛି।

ଟିକାକୁ ଦେଶର ୪୧ଟି ସ୍ଥାନରେ ପହଞ୍ଚାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଉତ୍ତର ଭାରତରେ କରୋନା ଟିକା ପହଞ୍ଚାଇବା ପାଇଁ ଦିଲ୍ଲୀ ଓ ହରିଆଣାର କର୍ଣ୍ଣାଲରେ ମିନି ହବ୍‌ ତିଆରି କରାଯିବ। ପୂର୍ବ ଭାରତ ପାଇଁ କରୋନା ଟିକାର ହବ୍‌ କୋଲକାତାରେ ହେବ। ଉତ୍ତର ପୂର୍ବ ପାଇଁ ଏଠାରେ ଗୋଟିଏ ନୋଡାଲ ପଏଣ୍ଟ ମଧ୍ୟ ଖୋଲାଯିବ। ଦକ୍ଷିଣ ଭାରତ ପାଇଁ କରୋନାର ଟିକାର ଡିପୋ ଚେନ୍ନାଇ ଓ ହାଇଦ୍ରାବାଦରେ ରହିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।