ବରଫ ପାଲଟି ଗଲା ଡାଲ ହ୍ରଦ, ୩୦ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅସହ୍ୟ ଜାଡ଼ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ କଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦ ପୂରା ବରଫ ପାଲଟି ଯାଇଛି। ଏହି ହ୍ରଦରେ ପର୍ଯ୍ୟଟକମାନେ  ବୁଲି ଉପତ୍ୟକାର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି। ଏବେ ଏହା ବରଫରେ ପରିଣତ ହୋଇଯାଇଥିବାରୁ ଡଙ୍ଗା ଚଳାଇବା କାଠିକର ପାଠ ହୋଇଯାଇଛି।

ସେହିପରି ଶ୍ରୀଗନରରେ ସର୍ବନିମ୍ନ ତାପାମତ୍ରା ଦୀର୍ଘ ୩୦ ବର୍ଷ ରେକର୍ଡ ଭାଙ୍ଗିଛି। ବୁଧବାର ରାତିରେ ଶ୍ରୀନଗରରେ ୩ ଦଶନ୍ଧି ପରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୯୯୧ ମସିହା ପରଠାରୁ ଏଠାରେ କେବେ ହେଲେ ତାପମାତ୍ରା ଏତେ ତଳକୁ ଖସି ନଥିଲା।

୧୯୯୧ରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ମାଇନ୍ସ ୧୧.୮ ଡିଗ୍ରୀ ସେଲସିୟସ ରହିଥିଲା। ୧୮୯୩ରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ମାଇନ୍ସ ୧୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

କେବଳ ଶ୍ରୀନଗର ନୁହେଁ, ଉପତ୍ୟକାର ଅଧିକାଂଶ ସ୍ଥାନରେ ତାପମାତ୍ରା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଅମରନାଥ ଯାତ୍ରା ପାଇଁ ବେସ୍‌ କ୍ୟାମ୍ପ ଭାବେ ବ୍ୟବହୃତ ହେଉଥିବା ପହଲଗାମରେ ସର୍ବନିମ୍ନ ତାପମାତ୍ରା ମାଇନ୍ସ ୧୧.୧ ଡିଗ୍ରୀ ରହିଛି। ଗୋଟିଏ ଦିନ ପୂର୍ବରୁ ଏଠାରେ ତାପମାତ୍ରା ବିଯୁକ୍ତ ୧୧.୭ ଡିଗ୍ରୀ ରହିଥିଲା।

ଗୁଲମର୍ଗରେ ବି ତାପାମତ୍ରା ମାଇନ୍ସ ୭ ଡିଗ୍ରୀ ରେକର୍ଡ କରାଯାଇଛି। କ୍ୱାଇଜିଗୁଣ୍ଡ ଦି ଗେଟ୍‌ ୱେ ଅଫ କଶ୍ମୀରରେ ସର୍ବନିମ୍ନ ତାପମାତ୍ରା ମାଇନ୍ସ ୧୦ ଡିଗ୍ରୀ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।