କିଏ ହେବେ ଦେଶର ପରବର୍ତ୍ତୀ ସେନାଧ୍ୟକ୍ଷ, ଚର୍ଚ୍ଚାରେ ଏହି ୩ ଅଧିକାରୀ

ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟରତ ଜେନେରାଲ ବିପିନ ରାୱତଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହୋଇଯିବ। ଏବେ ଭାରତ ସରକାର ଦେଶର ପରବର୍ତ୍ତୀ ସେନାଧ୍ୟକ୍ଷ କିଏ ହେବେ, ସେନେଇ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଏ ସଂକ୍ରାନ୍ତ ଫାଇଲକୁ ଚୟନ କମିଟି ନିକଟକୁ ପଠାଇ ଯାଇଛି ଏବଂ ଏଥିପାଇଁ ବିଚାରବିମର୍ଷ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଡିସେମ୍ବର ୩୧ରେ ହିଁ ସେନାଧ୍ୟକ୍ଷ ପଦବୀ ଖାଲି ହୋଇଯିବ। ଅର୍ଥାତ ଜେନେରାଲ ବିପିନ ରାୱତ ସେହିଦିନ ଅବସର ନେବେ।

ତାଙ୍କ ଉତ୍ତରାଧିକାରୀ କିଏ ହେବେ, ତା’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ଥଳ ସେନାରେ ଥିବା ବରିଷ୍ଠ ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତ କରାଯିବ। ଜାତୀୟ ଗଣମାଧ୍ୟମରେ ଚାଲିଥିବା ଆଲୋଚନା ଅନୁଯାୟୀ, ଏବେଠାରୁ ହିଁ ପରବର୍ତ୍ତୀ ସ୍ଥଳସେନା ପାଇଁ ଉପଯୁକ୍ତ ଅଧିକାରୀଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ଦୌଡ଼ରେ ଲେଫ୍ଟନାଣ୍ଟ ଜେନେରାଲ ଏମଏମ ନରୱାନେ, ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଓ ଲେଫ୍ଟନାଣ୍ଟ ଜେନେରାଲ ଏସକେ ସାଇନି ରହିଛନ୍ତି। ନିୟମ ଅନୁଯାୟୀ, କାର୍ଯ୍ୟରତ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ପୂରିବାର ୪ରୁ ୫ ମାସ ପୂର୍ବରୁ ହିଁ ନୂଆ ସ୍ଥଳସେନା ମୁଖ୍ୟଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ନୂଆ ସ୍ଥଳସେନା ମୁଖ୍ୟ କିଏ ହେବେ, ସେ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଭୂମିକା ସୀମିତ ରହିଥାଏ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ନିଯୁକ୍ତି କମିଟି ହିଁ ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଏ।

ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ କ୍ୟାବିନେଟ୍‌ ସଦସ୍ୟ ଭାବେ କେବଳ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରହିଛନ୍ତି। ସ୍ଥଳସେନା ମୁଖ୍ୟଙ୍କ ଅବସରର ୪୫ ଦିନ ପୂର୍ବରୁ ନୂଆ ସେନାଧ୍ୟକ୍ଷଙ୍କ ନାଁ ଘୋଷଣା ହେବାର ନିୟମ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।