ରାଜଧାନୀରେ ସପ୍ତାହକୁ ୪ ଦିନ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଆସନ୍ତା ୧୬ରୁ ସମଗ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହେବ। ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଉଦଘାଟନ କରିବେ। ଏଥିପାଇଁ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଟିକା ପହଞ୍ଚି ସାରିଲାଣି।

ଏହି କ୍ରମରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟିକାକରଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଦଫାରେ ଟିକାରକଣ ପାଇଁ ଆମକୁ ୨.୭୪ ଲକ୍ଷ ଟିକା ମିଳିଛି। ୧୬ ତାରିଖରେ ଦିଲ୍ଲୀର ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ।
ରାଜ୍ୟ ସରକାର ସପ୍ତାହକୁ ୪ ଦିନ କରୋନା ଟିକାକରଣ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସୋମବାର, ମଙ୍ଗଳବାର, ଗୁରୁବାର ଓ ଶନିବାର ବିଭିନ୍ନ କେନ୍ଦ୍ରରେ କରୋନା ଟିକା ଦିଆଯିବ। ବାକି ଦିନ ଗୁଡ଼ିକରେ ଅନ୍ୟ ରୋଗ ଗୁଡ଼ିକ ପାଇଁ ଟିକାକରଣ କରାଯିବ। ଅନ୍ୟ ରୋଗ ପାଇଁ ବହୁ ପୂର୍ବରୁ ଟିକାକରଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଆମେ ଚାହୁଁନୁ ଯେ କରୋନା ଟିକାକରଣ ପାଇଁ ଏଗୁଡ଼ିକ ପ୍ରଭାବିତ ହେଉ। ତେଣୁ ସପ୍ତାହକୁ ୪ ଦିନ କରୋନା ଟିକାକରଣ କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି।

କରୋନା ଟିକାକରଣ କେନ୍ଦ୍ର ସମ୍ପର୍କରେ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି, ପ୍ରଥମ ଦଫାରେ ରାଜ୍ୟ ସରକାର ୮୧ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହାପରେ ଏହାକୁ ୧୭୫କୁ ବୃଦ୍ଧି କରାଯିବ। ଶେଷରେ ଟିକାକରଣ କେନ୍ଦ୍ର ସଂଖ୍ୟା ୧ ହଜାରରେ ପହଞ୍ଚିବ। ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବ। ୩୬ଟି ସରକାର ଓ ୫୬ଟି ଘରୋଇ ହସ୍ପିଟାଲରେ ଗୋଟିଏ ଲେଖାଏ ଟିକାକରଣ କେନ୍ଦ୍ର ଖୋଲାଯିବ।

ଆମର ଆଶା ଓ ବିଶ୍ୱାସ କେନ୍ଦ୍ର ସରକାର ଆବଶ୍ୟକ ଅନୁସାରେ ଟିକା ଆମକୁ ଯୋଗାଇ ଦେବେ। ଦୀର୍ଘ ଗୋଟିଏ ବର୍ଷ ହେଲାଣି କରୋନା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଆମର ଆଶା ଏବେ ଟିକା ଆସିଥିବାରୁ ସମସ୍ତେ ସାମାନ୍ୟ ଆଶ୍ୱସ୍ତ ଲାଭ କରିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩୫୭ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।