ଚାଇନାର ନୂଆ ଭେଳିକି, ସୈନ୍ୟ ପ୍ରତ୍ୟାହାର ନେଇ ଦେଲା ଏମିତି ବୟାନ

ବେଜିଂ: ପ୍ରତିଶ୍ରୁତି ମୁତାବକ ଏଲଏସିର ବିବାଦୀୟ ଅଞ୍ଚଳରୁ ଡିସଏନଗେଜମେଣ୍ଟ କରୁଥିବା ଚାଇନା ଏବେ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଆଜି ଚାଇନା ପକ୍ଷରୁ କୁହାଯାଇଛି ଯେ ଭାରତ ଓ ଚାଇନା ସୀମାର ପ୍ରାୟ ଅଧିକାଂଶ ବିବାଦୀୟ ଅଞ୍ଚଳରୁ ସଂପୂର୍ଣ୍ଣ ଭାବେ ଡିସଏନଗେଜମେଣ୍ଟ କରି ସାରିଛନ୍ତି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ‘‍‘ସୀମାରେ ସ୍ଥିତି କ୍ରମାଗତ ଶାନ୍ତ ପଡ଼ିବାରେ ଲାଗିଛି ଓ ଡି-ଏକ୍ସିଲେଟ ହେଉଛି। ଦୁଇ ଦେଶ ମଧ୍ୟରେ ଥିବା ବିବାଦୀୟ ଅଞ୍ଚଳର ଅଧିକାଂଶ ସ୍ଥାନରୁ ଫ୍ରଣ୍ଟଲାଇନ ବର୍ଡର ଟ୍ରୁପ୍ସମାନଙ୍କୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନିଆଯାଇଛି। ୫ମଥର ପାଇଁ ଭାରତ ଓ ଚାଇନା ମଧ୍ୟରେ ଖୁବଶୀଘ୍ର କମାଣ୍ଡରସ୍ତରୀୟ ଆଲୋଚନା ହେବାକୁ ଯାଉଛି।”

ଚାଇନା ସଂପୂର୍ଣ୍ଣ ଡିସଏନଗେଜମେଣ୍ଟ କରିଥିବା କହୁଥିଲେ ହେଁ ବାସ୍ତବରେ କିନ୍ତୁ ଏପରି କିଛି ବି ହୋଇନାହିଁ। ଜୁନ୍‌ ୧୫ ଗଲୱାନ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଘନଘନ ବୈଠକ ବସିଥିଲା। ଏହାପରେ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ପଛକୁ ହଟିବେ ବୋଲି ରାଜି ହୋଇଥିଲେ। କିନ୍ତୁ ଚାଇନା କିଛି ସ୍ଥାନରୁ ପଛକୁ ହଟିଥିଲେ ହେଁ ଅଧିକାଂଶ ସ୍ଥାନରେ ଆଡ୍ଡା ଜମାଇ ବସିଛି।

ଭାରତର ସୀମାକୁ ଲାଗି ଥିବା ଏକାଧିକ ସ୍ଥାନରେ ଏବେ ବି ଚାଇନା ପକ୍ଷରୁ ୪୦ ହଜାର ଯବାନଙ୍କୁ ମୁତୟନ କରାଯାଇଛି। ସେହିପରି ଅସ୍ଥାୟୀ ଟେଣ୍ଟ, ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଜୁଦ କରି ରଖିଛି।

ସୂଚନା ଅନୁଯାୟୀ, ଦେପସାଙ୍ଗ ପ୍ଲେନ୍ସ ଅଞ୍ଚଳ, ଗୋଗ୍ରା ଓ ପିଙ୍ଗର ୫ରୁ ୮ ମଧ୍ୟରେ ଚାଇନା ସେନା ପୂର୍ବଭଳି ନିଜର ଆଡ୍ଡା ଜମାଇ ବସିଛନ୍ତି। ତେବେ ଗଲୱାନ, ହଟସ୍ପ୍ରିଙ୍ଗ ଓ ଫିଙ୍ଗର ୧ରୁ ୪ ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରୁ ଚାଇନା ତା’ର ସମସ୍ତ କାର୍ଯ୍ୟକଳାପକୁ ବନ୍ଦ କରି ପଛକୁ ଘୁଞ୍ଚି ଯାଇଛି।

ବୁଝାମଣା ଅନୁଯାୟୀ, ଚାଇନା ସମସ୍ତ ବିବାଦୀୟ ଅଞ୍ଚଳକୁ ପଛକୁ ହଟିବା କଥା। ହେଲେ ଚାଇନିଜ୍‌ ସେନା ଦେପସାଙ୍ଗ ପ୍ଲେନ୍ସ ଅଞ୍ଚଳ, ଗୋଗ୍ରା ଅଞ୍ଚଳରୁ ପଛକୁ ଘୁଞ୍ଚିବାକୁ ନାରାଜ। ସେହିପରି ବେଆଇନ ଭାବେ ଦଖଲ କରିଥିବା ପିଙ୍ଗର ୫ରୁ ଚାଇନିଜ୍‌ ସେନା ପିଙ୍ଗର ୮କୁ ଯିବାକୁ ଚାହୁଁନାହିଁ। ଫିଙ୍ଗର ୮ ହେଉଛି ଚାଇନିଜ୍‌ ସେନାଙ୍କ ପାରମ୍ପରିକ ବେସ୍‌।

ପଛକୁ ନ ଘୁଞ୍ଚି ଚାଇନା ସେନା ପିଙ୍ଗର ୪ରୁ ୮ ମଧ୍ୟରେ ନୀରିକ୍ଷଣ ବେସ୍‌ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ନିଜ ଲକ୍ଷ୍ୟ ପୂରଣ ପାଇଁ ଚାଇନା ଏଲଏସି ନିକଟରେ ୪୦ ହଜାର ଯବାନଙ୍କୁ ମୁତୟନ କରିଛି। ସେହିପରି ଆଗୁଆ ଓ ତଳିଆ ଘାଟିରେ ଅନ୍ୟ ପ୍ରକାରର ଯୁଦ୍ଧାସ୍ତ୍ର ଠୁଳ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।