୫ ଦିନରେ ୨ ଜଣଙ୍କୁ ବିବାହ କରି ଫେରାର ହୋଇଗଲେ ଇଞ୍ଜିନିୟର

ଭୋପାଳ: ଜଣେ ୨୬ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ୫ ଦିନ ଭିତରେ ଦୁଇ ଜଣ ମହିଳାଙ୍କୁ ବିବାହ କରିଛନ୍ତି। ବିବାହ ପରେ ସେ କାହାକୁ କିଛି ନ କହି ଫେରାର ହୋଇଯାଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ମୁସାଖେଡି ଅଞ୍ଚଳରେ ରହୁଥିବା ଯୁବ ଇଞ୍ଜିନିୟର ଜଣଙ୍କ ଡିସେମ୍ବର ୨ରେ ଖଣ୍ଡୱା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। ଏହାପରେ ଡିସେମ୍ବର ୭ରେ ସେ ଇନ୍ଦୋର ସ୍ଥିତ ମହୱରେ ଆଉ ଜଣେ ମହିଳାଙ୍କୁ ବି ବିବାହ କରିଥିଲେ।

ଯୁବ ଇଞ୍ଜିନିୟର ଜଣଙ୍କର ଦ୍ୱିତୀୟ ବାହାଘର ସମ୍ପର୍କରେ ତାଙ୍କ ପ୍ରଥମ ପତ୍ନୀଙ୍କ ଘର ଲୋକ ଜାଣିବା ପରେ ପୁଲିସରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ବାହାଘରର ଡିନର ପାର୍ଟିରେ ପ୍ରଥମ ପତ୍ନୀଙ୍କର ଜଣେ ସମ୍ପର୍କୀୟ ଯୋଗଦେଇଥିଲେ। ସେ ଇଞ୍ଜିନିୟର ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଫଟୋ ଉଠାଇ ପ୍ରଥମ ପତ୍ନୀଙ୍କ ପରିବାର ଲୋକଙ୍କ ପାଖକୁ ପଠାଇଥିଲେ। ଏହାପରେ ପରିବାର ଲୋକ ଇଞ୍ଜନିୟରଙ୍କ ଏହି କାଣ୍ଡକାରନାମା ସମ୍ପର୍କରେ ଜାଣିବାକୁ ପାଇଥିଲେ।

୫ ଦିନ ଭିତରେ ଦୁଇଟି ବିବାହ କରିଥିବାରୁ ପ୍ରଥମ ପତ୍ନୀଙ୍କ ପରିବାର ଲୋକ ପୁଲିସ୍‌ ନିକଟରେ ଏଫଆଇଆର କରିଛନ୍ତି। ସେମାନେ କହିଛନ୍ତି ଯେ ବାହାଘର ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ଓ ବର ଘରକୁ ବିଭିନ୍ନ ସାମଗ୍ରୀ ମଧ୍ୟ ଦିଆଯାଇଛି। ବାହାଘର ପରେ ଇଞ୍ଜିନିୟର ଜଣଙ୍କ ତାଙ୍କ ନବବିବାହିତ ପତ୍ନୀଙ୍କୁ ଧରି ଇନ୍ଦୋର ଚାଲି ଯାଇଥିଲେ।

କିଛି ଦିନ ପରେ ସେ ଭୋପାଳରେ କିଛି କାମ ଅଛି ବୋଲି କହି ପତ୍ନୀଙ୍କୁ ଛାଡ଼ି ଚାଲି ଯାଇଥିଲେ। ତେବେ ଡିସେମ୍ବର ୭ରେ ସେ ଇନ୍ଦୋରର ମହୱକୁ ଆସି ଦ୍ୱିତୀୟ ବିବାହ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଞ୍ଜିନିୟରଙ୍କର ପ୍ରଥମ ପତ୍ନୀଙ୍କ ପରିବାର ଲୋକ ଦ୍ୱିତୀୟ ପତ୍ନୀଙ୍କ ସହ କଥା ହୋଇଛନ୍ତି।

କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଏହା ଆରେଞ୍ଜ ମ୍ୟାରେଜ। ଦୁଇ ପରିବାର ମିଳିତ ଭାବେ ଏହି ବାହାଘର କରିଛନ୍ତି। ପ୍ରଥମ ବାହାଘର ବେଳେ ଇଞ୍ଜିନିୟର ଜଣଙ୍କ ତାଙ୍କ ବାପା, ମା’ ଓ ବନ୍ଧୁମାନଙ୍କୁ ଧରି ଖଣ୍ଡୱା ଆସିଥିଲେ। ଏହାର ଅର୍ଥ ପ୍ରଥମ ବାହାଘରରେ ବି ପରିବାର ଲୋକଙ୍କ ସହମତି ଥିଲା। ତେଣୁ ୫ ଦିନ ପରେ କେମିତି ପରିବାର ଲୋକ ଦ୍ୱିତୀୟ ବିବାହ କରାଇଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ପୁଲିସ୍‌ ଅଭିଯୋଗ ପରେ ଇଞ୍ଜିନିୟରଙ୍କୁ ଖୋଜି ଥିଲେ ହେଁ ସେ ମୋବାଇଲ ବନ୍ଦ କରି ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।