ଟ୍ରାକ୍ଟର ରାଲି କରି ଗଣତନ୍ତ୍ର ଦିବସ ପୂର୍ବରୁ ସରକାରଙ୍କୁ ଟ୍ରେଲର ଦେଖାଇବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ବିଭିନ୍ନ ଚାଷୀ ସଂଗଠନ ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ଉଚ୍ଛେଦ ନ ହେବା ଯାଏ ଚାଷୀ ସଂଗଠନ ଗୁଡ଼ିକ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଏଥିସହ ନିଜ ଦାବିକୁ ପୂରଣ କରିବା ପାଇଁ ଚାଷୀମାନେ ଗଣତନ୍ତ୍ର ଦିବସରେ ବିଶାଳ ରାଲି କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହିକ୍ରମରେ ଆନ୍ଦୋଳନର ଟ୍ରେଲର ଦେଖାଇବାକୁ ଆସନ୍ତା ୭ ତାରିଖର ଦିଲ୍ଲୀର ୪ ଯାକ ସୀମାରେ ଟ୍ରାକ୍ଟର ରାଲି କରାଯିବ […]

ed

ed

Hemant Lenka
  • Published: Tuesday, 05 January 2021
  • Updated: 05 January 2021, 09:43 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ବିଭିନ୍ନ ଚାଷୀ ସଂଗଠନ ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ଉଚ୍ଛେଦ ନ ହେବା ଯାଏ ଚାଷୀ ସଂଗଠନ ଗୁଡ଼ିକ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଏଥିସହ ନିଜ ଦାବିକୁ ପୂରଣ କରିବା ପାଇଁ ଚାଷୀମାନେ ଗଣତନ୍ତ୍ର ଦିବସରେ ବିଶାଳ ରାଲି କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହିକ୍ରମରେ ଆନ୍ଦୋଳନର ଟ୍ରେଲର ଦେଖାଇବାକୁ ଆସନ୍ତା ୭ ତାରିଖର ଦିଲ୍ଲୀର ୪ ଯାକ ସୀମାରେ ଟ୍ରାକ୍ଟର ରାଲି କରାଯିବ ବୋଲି ଆଜି ସ୍ୱରାଜ ଇଣ୍ଡିଆର ଆବାହକ ଯୋଗେନ୍ଦ୍ର ଯାଦବ କହିଛନ୍ତି। ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ ଓ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦାବିରେ ଏହି ଟ୍ରାକ୍ଟର ରାଲି କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଦିଲ୍ଲୀର ସିଂଘୁ ସୀମାରେ ଦୀର୍ଘ ୪୦ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଯୋଗେନ୍ଦ୍ର ଯାଦବ ଯୋଗ ଦେଇ କହିଛନ୍ତି, ଜାନୁଆରୀ ୭ରେ ଆମେ ଦିଲ୍ଲୀର ୪ଟି ଯାକ ସୀମାରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛୁ। ଇଷ୍ଟର୍ଣ୍ଣ ଠାରୁ ୱେଷ୍ଟର୍ଣ୍ଣ ଫେରିଫେରିଆଲରେ ଏଭଳି ଟ୍ରାକ୍ଟର ରାଲି ହେବ। ଜାନୁଆରୀ ୨୬ ପୂର୍ବରୁ ଏହା କେବଳ ଆନ୍ଦୋଳନର ଗୋଟିଏ ଟ୍ରେଲର।

ଆସନ୍ତାକାଲି ଠାରୁ ୨ ସପ୍ତାହ ଯାଏ ଦେଶରେ ଜାଗରଣ ଅଭିଯାନ ଆରମ୍ଭ କରାଯିବ ଓ ଆନ୍ଦୋଳନକୁ ସମଗ୍ର ଦେଶରେ ତୀବ୍ରରୁ ତୀବ୍ରତର କରାଯିବ ବୋଲି ସେ କହିଛନ୍ତି।

ଗତ ସପ୍ତାହରେ ଚାଷୀ ସଂଗଠନ ଗୁଡ଼ିକ କହିଥିଲେ ଯେ ଯଦି ୪ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ନ ହେବ, ତା’ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଏଥିସହ ସେମାନେ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିବେ ଓ ସମଗ୍ର ଦେଶରେ ପ୍ରତିବାଦ ଶୋଭାଯାତ୍ରା କରିବେ। ଜାନୁଆରୀ ୨୬ରେ ଟ୍ରାକ୍ଟରରେ ତ୍ରିରଙ୍ଗା ବାନ୍ଧି ଚାଷୀମାନେ ରାଲି କରିବେ ବୋଲି କହିଥିଲେ।

ସୋମବାର ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ୭ମ ରାଉଣ୍ଡ ବୈଠକ ବସିଥିଲା। ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଦୀର୍ଘ ୫ ଘଣ୍ଟା କାଳ ଆଲୋଚନା କରିଥିଲେ ହେଁ କୌଣସି ସୁ‍ଫଳ ମିଳି ନଥିଲା। ବୈଠକରେ ଚାଷୀମାନେ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ ରୋକଠୋକ ମନା କରିଦେଇଛନ୍ତି। ଏଥିସହ ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କେନ୍ଦ୍ର ସରକାର କହିଥିବା ବୈଠକରେ ଯୋଗଦେଇଥିବା ଚାଷୀମାନେ କହିଛନ୍ତି।

ସରକାରଙ୍କ ଏଭଳି ଆଭିମୁଖ୍ୟ ଦେଖି ଚାଷୀମାନେ ମଧ୍ୟ ଆକ୍ରମଣାତ୍ମକା ରୂପ ଆପଣାଇଛନ୍ତି। ଯଦି ସରକାର ସେମାନଙ୍କ ଦାବି ପୂରଣ କରିବେ, ତା’ହେଲେ ଜାନୁଆରୀ ୨୬ରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଥିଲେ।

ଅନ୍ୟପକ୍ଷରେ ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୁଣିଥରେ ଜାନୁଆରୀ ୮ରେ ବୈଠକ ବସିବ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ସେ କହିଛନ୍ତି, କୃଷି ଆଇନ ସମ୍ପର୍କରେ ବିଭିନ୍ନ ରାଜ୍ୟରେ ଥିବା ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯିବ। ଆଇନରେ ଥିବା କ୍ଲଜ ୱାରି ଆଲୋଚନା କରିବାକୁ ସରକାର ରାଜି। ଚାଷୀ ସଂଗଠନର ପରାମର୍ଶକ୍ରମେ ଏଥିରେ ସଂଶୋଧନ ମଧ୍ୟ କରାଯିବ।

ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଚାଷୀ ସଂଗଠନର ପ୍ରତିନିଧିମାନେ ଆଇନକୁ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି। ଆସନ୍ତା ୮ ତାରିଖରେ ପୁଣି ବୈଠକ ବସିବ। ଆମର ଆଶା ଏହି ବୈଠକରେ ନିଶ୍ଚିତ ସମାଧାନର ରାସ୍ତା ବାହାରିବ।

କିଷାନ ମଜଦୂର ସଂଘର୍ଷ କମିଟିର ସ୍ୱର୍ଣ୍ଣ ସିଂହ ପାନ୍ଧେର କହିଥିଲେ, ବୈଠକ ବେଳେ ଆମେ ଆଇନକୁ ପ୍ରତ୍ୟାହାର କରିବା କଥା କହିଥିଲୁ। ହେଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରୋକଠୋକ ଆମ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଏପରି କି ସେ ଆମକୁ ଆଇନ ପ୍ରତ୍ୟାହାର କରିବାକୁ ଚାହୁଁଥିଲେ, ସୁପ୍ରିମକୋର୍ଟ ଯିବାକୁ ମଧ୍ୟ କହିଛନ୍ତି। ଏବେ ଦୀର୍ଘକାଳୀନ ଲଢ଼େଇ ପାଇଁ ଆମେ ପଞ୍ଜାବର ଯୁବଗୋଷ୍ଠୀଙ୍କୁ ପ୍ରସ୍ତୁତ ହେବାକୁ ନିବେଦନ କରୁଛୁ। ଆମେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ବିଶାଳ ପ୍ରତିବାଦ ଯାତ୍ରା ଆୟୋଜନ କରିବୁ ବୋଲି ସେ କହିଛନ୍ତି।

ନଭେମ୍ବର ୨୬ରୁ କେନ୍ଦ୍ରର କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ମନେଇବା ପାଇଁ କେନ୍ଦ୍ର ସରକାର ଏକାଧିକ ଥର ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳତା ମିଳିନାହିଁ। ୬ଷ୍ଠ ରାଉଣ୍ଡ ବୈଠକ ପରେ ଆଲୋଚନା ସକାରାତ୍ମକ ରହିଥିବା ସରକାର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos