ପ୍ରାର୍ଥନା ପାଇଁ ଫାରୁକ ଅବଦୁଲ୍ଲାଙ୍କୁ ବାହାରକୁ ଛାଡ଼ିଲାନି ପୁଲିସ!

ଶ୍ରୀନଗର: ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଆଜି ପ୍ରାର୍ଥନା କରିବାକୁ ଅନୁମତି ଦେଇନି ଜମ୍ମୁ-କଶ୍ମୀର ପ୍ରଶାସନ। ସେ ପ୍ରାର୍ଥନା ପାଇଁ ଆଜି ଘରୁ ବାହାରୁ ଥିଲେ ହେଁ ତାଙ୍କୁ ବାହାରକୁ ଛଡ଼ା ଯାଇ ନଥିବା ନ୍ୟାଶନାଲ କନଫରେନ୍ସ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ପବିତ୍ର ଶୁକ୍ରବାର ସହ ଇଦ୍‌-ମିଲାଦ-ଉନ-ନବୀ। ଏହି ଅବସରରେ ଫାରୁକ ହଜରତବାଲ ମସଜିଦ ଯାଇ ନମାଜ ପଢ଼ିବାର ଥିଲା। ତେବେ ତାଙ୍କୁ ଏଥିପାଇଁ ଅନୁମତି ଦିଆଯାଇ ନଥିବା କୁହାଯାଉଛି।

ନ୍ୟାଶନାଲ କନଫରେନ୍ସ ପକ୍ଷରୁ କୁହାଯାଇଛି ଯେ ଜମ୍ମୁ-କଶ୍ମୀର ପ୍ରଶାସନ ଦଳର ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ବାସଭବନକୁ ସିଲ୍‌ କରିଦେଇଛି। ତାଙ୍କୁ ଦର୍ଘା ହଜରତବାଲରେ ପ୍ରାର୍ଥନା କରିବା କାର୍ଯ୍ୟରୁ ବିରତ ରଖାଯାଇଛି। ଜମ୍ମୁ-କଶ୍ମୀର ନ୍ୟାଶନାଲ କନଫରେନ୍ସ ଏହାକୁ ତୀବ୍ର ନିନ୍ଦା କରୁଛି।

ପ୍ରାର୍ଥନା କରିବା ସମସ୍ତଙ୍କର ମୌଳିକ ଅଧିକାର। ଆଜି ପୁଣି ପବିତ୍ର ମିଲାଦ-ଉନ-ନବୀ। ତଥାପି ପ୍ରାର୍ଥନା କରିବା ପାଇଁ ଫାରୁକ ଅବଦୁଲ୍ଲାଙ୍କୁ ଛଡ଼ା ନ ଯିବା ନିନ୍ଦନୀୟ ବୋଲି ଦଳ କହିଛି। ଇଦ-ମିଲାଦ-ଉନ-ନବୀ ହେଉଛି ଇସଲାମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଜନ୍ମ ବାର୍ଷିକ। ଇସଲାମିକ କ୍ୟାଲେଣ୍ଡରର ତୃତୀୟ ମାସ ରବି ଅଲ-ଅୱଲରେ ପାଳନ କରଯାଏ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।