କରୋନା ଟିକା ତିଆରି କରୁଥିବା ସେରମ ଇନଷ୍ଟିଚ୍ୟୁଟରେ ଭୟଙ୍କର ନିଆଁ
ପୁଣେ: ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସେରମ ଇନଷ୍ଟିଚ୍ୟୁଟ ପରିସର ମଧ୍ୟରେ ଥିବା ମଞ୍ଜରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ସେରମ ଟର୍ମିନାଲ-୧ରେ ଭୟଙ୍କର ନିଆଁ ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ବର୍ତ୍ତମାନ ସୁଦ୍ଧ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ତେବେ ନିଆଁର ପ୍ରକୋପ ଅଧିକ ଥିବାରୁ ଆଉ କିଛି ଦମକଳ ଗାଡ଼ି ଘଟଣା ସ୍ଥଳକୁ ଆସୁଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡରେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନାହିଁ। କିନ୍ତୁ ସାମ୍ନାକୁ ଆସିଥିବା ଭିଡିଓ ଏବଂ ଫଟୋ ଭୟଙ୍କର ଚିତ୍ର ବୟାନ କରୁଛି। ପୂରା ସେରମ ଇନଷ୍ଟିଚ୍ୟୁଟ ବିଲଡିଂ ମଧ୍ୟରୁ ପ୍ରବଳ ଧୂଆଁ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଛି।
#WATCH Maharashtra: 10 fire tenders present at Serum Institute of India in Pune, where a fire broke out at Terminal 1 gate. More details awaited. https://t.co/wria89t22t pic.twitter.com/u960KTR7JS
— ANI (@ANI) January 21, 2021
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଟିକା ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ପୂର୍ବଭଳି ଟିକା ଉତ୍ପାଦନ କାର୍ଯ୍ୟ ବ୍ୟାହତ ରହିଛି। କାରଣ ସେରମ ପକ୍ଷରୁ ତିଆରି କରାଯାଉଥିବା ନୂଆ ବିଲଡିଂରେ ହିଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତଥାପି କେଉଁଠି ନିଆଁ ଲାଗିଛି ଓ କୋଭିସିଲ୍ଡର ପ୍ରଡକ୍ସନ ୟୁନିଟି ପ୍ରଭାବିତ ହୋଇଛି କି ନାହିଁ, କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବେ କିଛି ବି କୁହାଯାଇ ନାହିଁ।
ଭାରତରେ କୋଭିସିଲ୍ଡ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏପରି କି ସେରମ ପକ୍ଷରୁ ପୂର୍ବରୁ ହିଁ ୫୦ରୁ ୬୦ ମିଲିୟନ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଥିଲା। ଆଜିର ଅଗ୍ନିକାଣ୍ତ ଏହା ଉପରେ କ’ଣ ପ୍ରଭାବ ପକାଇଛି, ତାହା ଜଣାପଡ଼ିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।