ଭାରତରେ ବ୍ୟାପିଲା ବ୍ରିଟେନ ଭାଇରସ, ୭କୁ ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ମାରାତ୍ମକ ଷ୍ଟ୍ରେନ ଭାରତରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭାରତ ସରକାର ବ୍ରିଟେନକୁ ବିମାନ ସେବା ବନ୍ଦ କରି ଦେଇଛନ୍ତି। ହେଲେ ପୂର୍ବରୁ ଭାରତ ଫେରିଥିବା ଯାତ୍ରୀଙ୍କ ଶରୀରରେ ନୂଆ ଷ୍ଟ୍ରେନ ଠାବ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ନିକଟରେ ଲଣ୍ଡନରୁ ଫେରିଥିବା ୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ଏହି ୭ ଜଣ ଲୋକ କରୋନାର ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ୬ ଜଣ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଥିଲା। ହେଲେ ଏବେ ଏହି ସଂଖ୍ୟା ୭ରେ ପହଞ୍ଚିଛି।

ଏଥିରେ ବେଙ୍ଗାଲୁରୁର ସର୍ବାଧିକ ୩ଜଣ ଥିବା ବେଳେ ବାକି ୪ ଜଣ ହାଇଦ୍ରାବାଦ ଏବଂ ପୁଣେରୁ ଚିହ୍ନଟ ହୋଇଛନ୍ତି। ୟୁକେରୁ ଫେରିଥିବା ଲୋକଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯାଇଥିଲା। ଏହି ସମୟରେ ଏହି ୭ ଜଣ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସମସ୍ତ ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଇଛି ଓ ସେମାନଙ୍କର କ୍ଲୋଜ କଣ୍ଟାଣ୍ଟମାନଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନରେ ରଖାଯାଇଛି। ସେହିପରି ସେମାନଙ୍କ ସହ ବିଦେଶରରୁ ଗୋଟିଏ ବିମାନରେ ଫେରିଥିବା ଲୋକ ଓ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବେଶ ସତର୍କତାର ସହ ପରିସ୍ଥିତି ଉପରେ ନଜର ରଖାଯାଇଛି। ରାଜ୍ୟ ସରକାରମାନଙ୍କୁ ସର୍ଭେଲାନ୍ସ, କଣ୍ଟେନମେଣ୍ଟ, ଟେଷ୍ଟିଂ ଓ ବ୍ରିଟେନ ଫେରନ୍ତାଙ୍କ ଜିନୋମ୍ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇବାକୁ ନିୟମିତ ପରାମର୍ଶ ଦିଆଯାଉଛି। ଏଥିପାଇଁ ଆଦୌ ବିଚଳିତ ନ ହେବାକୁ ମନ୍ତ୍ରଣାଳୟ ସମସ୍ତଙ୍କୁ କହିଛି।

ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ବ୍ରିଟେରୁ ପ୍ରାୟ ୩୩ହଜାର ଯାତ୍ରୀ ଫେରିଛନ୍ତି। ଏଥିରେ ମୋଟ ୧୧୪ଜଣ କରୋନାରେ ପଜିଟିଭ୍ ବାହାରିଥିଲେ। ଏହାପରେ ସମସ୍ତଙ୍କର ନମୁନାକୁ ଅଧିକ ଯାଞ୍ଚ କରିବା ପାଇଁ ଲ୍ୟାବକୁ ପଠାଯାଇଥିଲା। ପରୀକ୍ଷା ବେଳେ ଏମାନେ ସମସ୍ତେ ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବ୍ରିଟେନରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ପୂର୍ବରୁ ଦେଖାଯାଇଥିବା ଭାଇରସ ତୁଳନାରେ ଅଧିକ ୫୬% ବେଗରେ ବ୍ୟାପିଥାଏ। ଯେଉଁକାରଣରୁ ଏହି ନୂଆ ଷ୍ଟ୍ରେନକୁ ନେଇ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ।

କରୋନାର ଏହି ନୂଆ ଷ୍ଟ୍ରେନ ପ୍ରଥମେ ବ୍ରିଟେନରେ ଦେଖିବାକୁ ମିଳିଥିଲା। ଏହାପରେ ଏହା ୟୁରୋପର କିଛି ଦେଶ ସହ ଡେନମାର୍କ, ନେରଦଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍, ସିଙ୍ଗାପୁରରେ ଦେଖିବାକୁ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।