ମୋଦିଙ୍କ ଟିମ୍‌ରେ ୫ ପୂର୍ବତନ ଆଇଏଫ୍‌ଏସ୍‌ ଓ ଆଇଏଏସ୍‌

ନୂଆଦିଲ୍ଲୀ: ମୋଦି-୨ ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶାଇ ମୋଟ ୫୮ ଜଣ ସଦସ୍ୟ ରହିଛନ୍ତି। ମୋଦି ତାଙ୍କ ଟିମ୍‌ରେ ଅନେକ ବରିଷ୍ଠଙ୍କୁ ନେଇଥିବା ବେଳେ ନବାଗତଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି। ସେହିପରି, ମୋଦିଙ୍କ ଟିମ୍‌ରେ ୫ ଜଣ ପୂର୍ବତନ ଆଇଏଫ୍‌ଏସ୍‌ ଓ ଆଇଏଏସ୍‌ ଅଧିକାରୀ ରହିଛନ୍ତି। ତେବେ ମୋଦି-୧ ସରକାରରେ ଥିବା ପୂର୍ବତନ ଡିଜିପି ସତ୍ୟପାଲ ସିଂହଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ।

ମୋଦିଙ୍କ ନୂଆ ଟିମ୍‌ରେ ସ୍ଥାନ ପାଇ ବୈଦେଶିକ ମନ୍ତ୍ରୀ ହୋଇଥିବା ଏସ୍‌ ଜୟଶଙ୍କର ହେଉଛନ୍ତି ୧୯୭୭ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର। ସେ ସୁଷମା ସ୍ୱରାଜଙ୍କ ସ୍ଥାନରେ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ହୋଇଛନ୍ତି। ସେହିପରି ୧୯୭୫ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର ହରଦୀପ ସିଂହ ପୁରୀଙ୍କୁ ମଧ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୋଦି ତାଙ୍କ ଟିମ୍‌ରେ ସାମିଲ କରିଛନ୍ତି। ସେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

ଅନ୍ୟପକ୍ଷରେ ମୋଦିଙ୍କ ଟିମ୍‌ରେ ୩ ଜଣ ପୂର୍ବତନ ଆଇଏଏସ୍‌ ଅଫିସର ରହିଛନ୍ତି। ମୋଦି-୨ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଆରକେ ସିଂହ କେନ୍ଦ୍ର ଗୃହ ସଚିବ ଭାବେ କାର୍ଯ୍ୟ କରୁଥିଲେ। ମୋଦି-୧ ସରକାରରେ ମଧ୍ୟ ସେ ମନ୍ତ୍ରୀ ଥିଲେ। ଅର୍ଜୁନ ମେଘୱାଲ ମଧ୍ୟ ଜଣେ ପୂର୍ବତନ ଆଇଏଏସ୍‌ ଅଫିସର। ତାଙ୍କୁ ମୋଦି-୧ ସରକାରରେ ମଧ୍ୟ ମନ୍ତ୍ରୀ ପଦ ମିଳିଥିଲା। ନୂଆ କରି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ସୋମ ପ୍ରକାଶ ମଧ୍ୟ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟ କରିସାରିଛନ୍ତି। ସେ ୨୦୦୯ରେ ଅବସର ନେବା ପରେ ବିଜେପିରେ ସାମିଲ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।