ଜୀବନ ହାରିଦେଲେ ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ଟିଡିପି ନେତା କୋଡେଲା ଶିବ ପ୍ରସାଦ ଆଜି ହାଇଦ୍ରାବାଦ୍‌ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। କୋଡେଲା ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ଦୁର୍ନୀତି ଓ ଆର୍ଥି ହେରଫେର ଭଳି ଅଭିଯୋଗ ହୋଇ ଆସୁଥିଲା। ସମ୍ଭବତଃ ଲୋକଲଜ୍ଜା ସହି ନ ପାରି ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି କୁହାଯାଉଛି।

ଆଜି ସକାଳେ ୭୨ ବର୍ଷୀୟ କୋଡେଲାଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ପରିବାର ସଦସ୍ୟ ଦେଖିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା।

ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଅଲଗା ହେବା ପରେ ୬ଥରର ବିଧାୟକ କୋଡେଲା ଆନ୍ଧ୍ରର ପ୍ରଥମ ବାଚସ୍ପତି ହୋଇଥିଲେ। ୧୯୮୫ରେ ସେ ଏନ୍‌ଟିଆରଙ୍କ କ୍ୟାବିନେଟ୍‌ରେ ଗୃହମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ବେଳେ ସେ ପଞ୍ଚାୟତିରାଜ, ଜଳ ସେଚନ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ମଧ୍ୟ ଦାୟତ୍ୱ ସମ୍ପାଦନ କରିଥିଲେ।

ତେବେ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ କୋଡେଲାଙ୍କ ପୁଅ ଓ ଝିଅଙ୍କ ନାଁରେ ଥିବା ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନିଜେ କୋଡେଲା ରାଜ୍ୟ ବିଧାନସଭାରୁ ଚେୟାର ଟେବୁଲ ଚୋରି କରି ନେଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

କୋଡେଲାଙ୍କ ଏଭଳି ଆକସ୍ମିତ ବିୟୋଗରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।