ତବଲିଗି ମାମଲା: ବାକ୍‌ ସ୍ୱାଧୀନତାର ଅପବ୍ୟବହାର କରାଯାଉଛି ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବାକ୍ ସ୍ୱାଧୀନତାକୁ ଖରାପ ଦିଗରେ ବ୍ୟବହାର କରାଯାଉଛି। ବାକ୍ ସ୍ୱାଧୀନତା ଏବେ ସବୁଠାରୁ ଖରାପ ଅଧିକାର ଭାବେ ବ୍ୟବହାର ହେବାରେ ଲାଗିଛି। ଗୋଟିଏ ବାକ୍ୟରେ କହିଲେ ବାକ୍‌ ସ୍ୱାଧୀନତାର ଅପବ୍ୟବହାର କରାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କିଛି ଗଣମାଧ୍ୟମ ତବଲିଗି ଜମାତର ସମାବେଶକୁ ନେଇ ଅନେକ ବିବାଦୀୟ ଖବର ପ୍ରକାଶ କରିବା ସହ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏହା ବିରୋଧରେ ଜାମିଆତ ଉଲାମା ହିନ୍ଦ ଓ ଅନ୍ୟ କିଛି ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କ ଖଣ୍ଡପୀଠ କରିଥିଲେ।

ଏହି ମାମଲାରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଅଲଗା ଓ ଇଆଡୁ ସିଆଡୁ କଥା ଲେଖା ହୋଇଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ବର୍ତ୍ତମାନ ସମୟରେ ବାକ୍ ସ୍ୱାଧୀନତାକୁ ଖରାପ ଢଙ୍ଗରେ ବ୍ୟବହାର କରାଯାଉଛି। ବାକ୍ ସ୍ୱାଧୀନତାକୁ ଅପବ୍ୟବହାର କରାଯିବାରେ ଲାଗିଛି ବୋଲି କୋର୍ଟ କହିଛନ୍ତି।

ଜମାତ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ଜୋରଦାର ବିରୋଧ କରିଥିଲେ। ସେ କହିଥିଲେ ଯେ ଆବେଦନକାରୀ ବାକ୍ ସ୍ୱାଧୀନତା ଓ ସ୍ୱାଧୀନ ମତ ଦେବାର ଅଧିକାରକୁ ଦଳି ଚକଟି ନଷ୍ଟ କରିବାକୁ ଚାହୁଁଥିବା କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ କହିଛନ୍ତି। ହେଲେ ବାକ୍‌ ସ୍ୱାଧୀନତା ନାଁରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ଭଳି ବୟାନ ଦେବା କ’ଣ କିଛି ଗଣମାଧ୍ୟମର ଅଧିକାର ରହିଛି କି?

ଏହା ଶୁଣିବା ପରେ କୋର୍ଟ କହିଛନ୍ତି, ସେମାନେ ତାଙ୍କ ସତ୍ୟପାଠରେ ତାଙ୍କ ଇଚ୍ଛା ଅନୁସାରେ କିଛି ବି ଲେଖି ପାରନ୍ତି, ଠିକ୍‌ ଯେମିତି ଆପଣ ନିଜ ଇଚ୍ଛା ଅନୁସାରେ କୋର୍ଟରେ ମୁକ୍ତ ଭାବେ ନିଜର ଯୁକ୍ତି ଉପସ୍ଥାପନ କରୁଛନ୍ତି। ଖଣ୍ଡପୀଠ ବିରକ୍ତ ପ୍ରକାଶ କରି କହିଥିଲେ ଯେ ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠିଛି। ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସତ୍ୟପାଠ ଦାଖଲ କରିବା କଥା। କିନ୍ତୁ ଅତିରିକ୍ତ ସଚିବ ସତ୍ୟପାଠ ଦାଖଲ କରିଛନ୍ତି। ସେ ସତ୍ୟପାଠରେ ଆବଶ୍ୟକ ଓ ଭିତ୍ତିହୀନ ତଥ୍ୟ ସବୁ ଉଲ୍ଲେଖ କରିଛନ୍ତି। ଆପଣମାନେ ଏହି ମାମଲାକୁ ଯେମିତି ନିଜ ଇଚ୍ଛାରେ ବ୍ୟବହାର କରୁଛନ୍ତି, କୋର୍ଟଙ୍କୁ କେବେ ହେଲେ ସେମିତି ବ୍ୟବହାର କରିପାରିବେ ନାହିଁ। କୋର୍ଟର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।

ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ଭି ରାମାସୁବ୍ରମନିଅନ ରହିଥିଲେ। କୋର୍ଟ ଆଜି ଏଭଳି ବୟାନ ଦେବା ସହ ଜମାତିଙ୍କ ବିରୋଧରେ ଉତ୍ତେଜନା ମୂଳକ ଖବର ପ୍ରସାରଣ କରିଥିବା ଗଣମାଧ୍ୟମକୁ ଏହି କାର୍ଯ୍ୟରୁ ବିରତ କରିବା ପାଇଁ ସରକାର କ’ଣ ସବୁ ପଦକ୍ଷେପ ନେଇଥିଲେ, ତା’ର ଜବାବ ସତ୍ୟପାଠ ଜରିଆରେ ଦାଖ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।