ଖାଉଟିଙ୍କୁ ମହଙ୍ଗା ମାଡ଼: ପିଆଜ ସହ ତାଳ ଦେଇ ବଢ଼ୁଛି ତୈଳଦର

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହେବାରେ ଲାଗିଛି। ଦୁଇ ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଓ ତୈଳ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ ଦର କେଜି ପ୍ରତି ୮୦ ଟଙ୍କାରେ ପହଞ୍ଚିଥିବା ବେଳେ ପେଟ୍ରୋଲ ଓ ଡିଜେଲ୍‌ ଦର ମଧ୍ୟ ୮୦ ଛୁଇଁବାକୁ ବସିଲାଣି। ଆଜି କ୍ରମାଗତ ୮ମ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୪ ଟଙ୍କା ଅତିକ୍ରମ କରିଥିବା ବେଳେ ମୁମ୍ବାଇରେ ଏହା ୮୦ ଛୁଇଁବାକୁ ବସିଲାଣି।

ଆଜି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦରରେ ୨୨ ପଇସା ବୃଦ୍ଧି ଘଟିଛି। ଫଳରେ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୭୪.୧୩ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦରରେ ୧୪ ପଇସା ବୃଦ୍ଧି ଘଟିବାରୁ ଏହାର ଲିଟର ପିଛା ମୂଲ୍ୟ ୬୭.୦୭ ଟଙ୍କା ରହିଛି।

ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୭୯.୭୯ ରହିଥିବା ବେଳେ ଡିଜେଲର ମୂଲ୍ୟ ୭୦.୩୭ ଟଙ୍କା ରହିଛି।

ସାଉଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ଼ ତୈଳ ପ୍ଲାଣ୍ଟ ଉପରେ ଡ୍ରୋନ୍‌ ଆକ୍ରମଣ ହେବା ଦିନ ଠାରୁ ଅଶୋଧିତ ତୈଳ ଦରର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ହେଲେ ଏବେ କ୍ରମାଗତ ୮ମ ଦିନ ପାଇଁ ତୈଳଦର ବୃଦ୍ଧି ପାଇଥିବାରୁ ଲୋକଙ୍କ ଚିନ୍ତା ବଢ଼ିବା ଆରମ୍ଭ ହୋଇଛି।

ଆଗକୁ ଯଦି ସ୍ଥିତି ଏଭଳି ଲାଗି ରହିବ, ତା’ହେଲେ ଲୋକଙ୍କ ଅବସ୍ଥା କ’ଣ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।