ଚାପ ବଢ଼ିବାରୁ ମୁହଁ ଖୋଲିଲେ ଯୋଗୀ ଆଦିତ୍ୟନାଥ, ହାଥରସ ସମ୍ପର୍କରେ କିଛି କହିଲେନି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଏସବୁ ଭିତରେ ମହିଳାଙ୍କ ସୁରକ୍ଷା ପ୍ରତି ତାଙ୍କ ସରକାର କେତେ ଯତ୍ନବାନ ସେକଥା ଆଜି ଯୋଗୀ ଆଦିତ୍ୟନାଥଙ୍କୁ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

କିନ୍ତୁ ସେ ହାଥରସ ଘଟଣାରେ ପଦୁଟିଏ ବି କହିନାହାନ୍ତି। ତେବେ ପରୋକ୍ଷରେ ତାଙ୍କ ସରକାର ମହିଳାଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଲୋକଙ୍କୁ କଠୋର ଦଣ୍ଡ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ହାଥରସ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଚାରିଆଡ଼ୁ ସରକାରଙ୍କ ଉପରେ ଚାପ ପଡ଼ିବାରେ ଲାଗିଛି। ବିଶେଷ କରି ବିରୋଧୀ କଂଗ୍ରେସ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି। ଏସବୁ ଭିତରେ ଆଜି ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆମ ସରକାର ସମସ୍ତ ମା’ ଓ ଉଭଣୀଙ୍କ ସୁରକ୍ଷା, ସ୍ୱାଭିମାନ ଓ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।


ଯେଉଁମାନେ ଉତ୍ତର ପ୍ରଦେଶରେ ମା’ ଓ ଉଭଣୀମାନଙ୍କର କ୍ଷତି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ କେବେ ହେଲେ ଛଡ଼ା ଯିବନାହିଁ। ସେମାନଙ୍କୁ ଏମିତି ଦଣ୍ଡ ଦିଆଯିବ ଯେ ଯାହା ଭବିଷ୍ୟତରେ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ। ଉତ୍ତର ପ୍ରଦେଶ ସରକାର ସର୍ବଦା ମହିଳାଙ୍କ ସୁରକ୍ଷା ଓ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ଆମର କର୍ତ୍ତବ୍ୟ ଓ ପ୍ରତିଶ୍ରୁତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।