ଗଣ ଦୁଷ୍କର୍ମ ପରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ

ଗୌହାଟୀ(ଓଡିଶା ରିପୋର୍ଟର): ଛୋଟିଆ ଝିଅଟିଏ। ବୟସ ମାତ୍ର ୧୨। ଜୀବନ କ’ଣ ଜାଣିବା ଆଗରୁ ତାକୁ ଚୁପ୍‌ କରିଦେଲେ ସେମାନେ। ଫୁଲ କଢି ଫୁଟିବା ଆଗରୁ ହାତରେ ଦଳିଦେଲେ ଆଉ କାମନା ନିଆଁରେ ଜାଳିଦେଲେ। ସେମାନଙ୍କୁ ଯେତେ ଧିକ୍କାର କରିବା ସେତେ କମ୍‌ ହେବ।

ଆମ ଦେଶରେ ନାରୀକୁ ଦେବୀର ସ୍ଥାନ ଦିଆଯାଇଛି। ହେଲେ ବାସ୍ତବରେ ଆମ ସମାଜରେ ଝିଅଟିକୁ ଯେ, କିଭଳି ଭାବେ ଜୀବନ ଅତିବାହିତ କରିବାକୁ ପଡୁଛି ତାହା ଦେଖିଲେ ମୁଣ୍ଡ ନଇଁଯିବ। ନିକଟରେ ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଆସାମ ରାଜ୍ୟର ନଅଗାଁ ଅଞ୍ଚଳରେ।

ଜଣେ ୧୨ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜଳେଇ ଦିଆଯାଇଛି। ଅଭିଯୋଗ ମୁତାବକ ଦୁଇଜଣ ନାବାଳକ ଓ ଜଣେ ଯୁବକ ଝିଅଟିର ଘରେ ପସି ତା’ ସହ ଗଣଦୁଷ୍କର୍ମ କରିଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ସେମାନେ ଏଭଳି ବିଭତ୍ସ କାଣ୍ଡ ଘଟାଇଥିଲେ। ତା’ ପରେ ଧରାପଡିଯିବା ଭୟରେ ସେମାନେ ଝଅଟି ଉପରେ କିରୋସିନ ଢାଳି ନିଆଁ ଲଗେଇ ଜାଳି ଦେଇଥିଲେ।

ଝିଅଟିର ଭାଇ କହିଛନ୍ତି ସେମାନେ ଚାରି ଭାଇଭଉଣୀ। ମୃତକ ହେଉଛନ୍ତି ସବା ସାନ। ପଞ୍ଚମ ଶ୍ରେଣୀରେ ପଢୁଥିଲେ। ଘଟଣା ଦିନ ସେ ଘରେ ଏକା ଥିଲେ। ଏ କଥା ଜାଣି ତା’ସହ ପଢୁଥିବା ଦୁଇଜଣ ନାବାଳକ ଓ ଜଣେ ଯୁବକ ଘରେ ପସିଯାଇଥିଲେ। ଏକାଥିବାର ସୁଯୋଗ ନେଇ ତା ସହ ଗଣଦୁଷ୍କର୍ମ କରିଥିଲେ । କିଛି ସମୟପରେ ଝିଅଟିର ଚିତ୍କାର ଶୁଣି ପଡ଼ୋଶୀମାନେ ଆସି ସେ ନିଆଁରେ ପୋଡି ଛଟପଟ ହେଉଥିବା ଦେଖିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଗୌହାଟି ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ତାର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପୂର୍ବରୁ ବୟାନ ରେକର୍ଡ କରାଯାଇଥିଲା। ପରେ ପୋଲିସ୍‌ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଫେରାର ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।