ହାଥରସ ପୀଡ଼ିତାଙ୍କ ମା’ଙ୍କୁ କ୍ରାଇମ ସେନ୍ସକୁ ନେଇ ଯାଞ୍ଚ ଆରମ୍ଭ କଲା ସିବିଆଇ

ହାଥରସ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ଖୋଳତାଡ଼କୁ ଜୋରଦାର କରିଛି ସିବିଆଇ। ଆଜି ମଧ୍ୟାହ୍ନରେ ସିବିଆଇ ଟିମ୍‌ ପୀଡ଼ିତାଙ୍କ ଗାଁରେ ପହଞ୍ଚି ପଚରାଉଚରା କରିଛି। ସେପ୍ଟେମ୍ବର ୧୪ରେ ପୀଡ଼ିତାଙ୍କୁ ଯେଉଁ ପଡ଼ିଆରେ ଗଣଦୁଷ୍କର୍ମ ପରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା, ସେଠାରେ ସିବିଆଇ ଟିମ୍‌ ପହଞ୍ଚିଛି।

ସିବିଆଇ ଟିମ୍‌ ସହ ପୀଡ଼ିତାଙ୍କ ମା’ ମଧ୍ୟ ସେଠାରେ ପହଞ୍ଚିଥିଲେ। ପୀଡ଼ିତାଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ହସ୍ପିଟାଲ ଯାଇଥିଲେ। ହସ୍ପିଟାଲରୁ ସେ ଆମ୍ବୁଲାନ୍ସ ଯୋଗେ ଫେରିବା ପରେ ସିବିଆଇ ଟିମ୍‌ ତାଙ୍କୁ ଘଟଣାସ୍ଥଳକୁ ନେଇଥିଲା। ସିବିଆଇ ଟିମ୍‌ ସହ ଜଣେ ଫରେନ୍ସିକ ବିଶେଷଜ୍ଞ, ପୁଲିସ୍‌ ଅଧିକାରୀ ଓ ପୀଡ଼ିତାଙ୍କ ଭାଇ ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ।

କ୍ରାଇମ ସେନ୍ସରେ ସିବିଆଇ ଦୀର୍ଘ ୨ ଘଣ୍ଟା କାଳ ଯାଞ୍ଚ କରିଥିଲା। ଏହାପରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନକୁ ମଧ୍ୟ ସିବିଆଇ ଟିମ୍‌ ଯାଇଥିଲା। ଶେଷରେ ସିବିଆଇ ଟିମ୍‌ ପୀଡ଼ିତାଙ୍କ ଘରକୁ ଯାଇଥିଲା ଓ ପୀଡ଼ିତାଙ୍କ ଭାଇଙ୍କୁ ପଚରା ଉଚରା କରିବାକୁ ନିଜ ସାଙ୍ଗରେ ନେଇ ଚାଲି ଯାଇଥିଲା।

ପୀଡ଼ିତାଙ୍କର ଆଉ ଜଣେ ଭାଇ କହିଛନ୍ତି, ଆମେ ସିବିଆଇ ତଦନ୍ତ ସମ୍ପର୍କରେ କିଛି ବି କହିପାରିବୁ ନାହିଁ। କାରଣ ତଦନ୍ତ ଏବେ ଆରମ୍ଭ କରାଯାଇଛି। ଆମକୁ ପୂରା ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଆମକୁ ଏବେ ଯେଉଁ ସୁରକ୍ଷା ମିଳିଛି, ସେଥିରେ ଆମେ ସନ୍ତୁଷ୍ଟ।

ଏହି ସିବିଆଇ ଟିମ୍‌ର ନେତୃତ୍ୱ ନେଉଛନ୍ତି ଡେପୁଟି ସୁପରିନଟେଣ୍ଡେଣ୍ଟ ଅଫ ପୁଲିସ ସୀମା ପହୁଜା। ସୀମା ପୂର୍ବରୁ ଶିମଲା ଦୁଷ୍କର୍ମ ଓ ହତ୍ୟା ଘଟଣାର ଯାଞ୍ଚ କରିବାର ଅଭଜ୍ଞତା ରଖିଛନ୍ତି। ସେପ୍ଟେମ୍ବର ୧୪ରେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୨୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ବିବାଦ ବଢ଼ୁଥିବାରୁ ପୁଲିସ୍‌ ରାତି ଅଧରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିବା ଅଭିଯୋଗ ହୋଇଥିଲା। ରାଜନୀତି ତୀବ୍ର ହେବାରୁ ୟୁପି ସରକାର ଏସଆଇଟି ଗଠନ କରିଥିଲେ। ତେବେ ଏହାପରେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।