ସିଏଏ ବିରୋଧରେ ବିଶାଳ ବିକ୍ଷୋଭ, ଚାପରେ ସରକାର

ଚେନ୍ନାଇ: ପ୍ରଥମଥର ପାଇଁ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସବୁଠାରୁ ବଡ଼ ଶୋଭାଯାତ୍ରା ଦେଖିଛି ଦେଶ। ଚେନ୍ନାଇର ୱାଲଝାହ ରୋଡରେ ଆଜି ହଜାର ହଜାର ଲୋକ ଏକାଠି ହୋଇ ସିଏଏ ଓ ପ୍ରସ୍ତାବିତ ଏନଆରସି ବିରୋଧରେ ଗର୍ଜନ କରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ମାଡ୍ରାସ ହାଇକୋର୍ଟ ତାମିଲନାଡୁ ବିଧାନସଭା ଘେରାଇ କରିବା ପାଇଁ ଗୋଟିଏ ମୁସଲିମ ସଂଗଠନ କରିଥିବା ଆବେଦନକୁ ଖାରଜ କରି ଦେଇଥିଲେ।

ତଥାପି ଆଜି ହଜାର ହଜାର ଲୋକ ଏକାଠି ହୋଇ ତାମିଲନାଡୁ ସରକାର ରାଜ୍ୟ ବିଧାନସଭାରେ ସିଏଏ, ଏନଆରସି ଓ ଏନପିଆର ବିରୋଧରେ ସଂକଳ୍ପ ପାରିତ କରିବାକୁ ଚାପ ସୃଷ୍ଟି କରିଛନ୍ତି।

ପ୍ରଥମେ ହଜାର ହଜାର ଲୋକ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଚେପକ ଠାରେ ପହଞ୍ଚିଥିଲେ। ଏଠାରେ ତାମିଲନାଡୁ ସଚିବାଳୟ ରହିଛି। ହଜାର ହଜାର ଲୋକ ଏଠାରେ ଏକାଠି ହୋଇ ଭାରତର ଜାତୀୟ ପତାକା ଧରି ନାରା ବାଜି କରିଥିଲେ। ଆନ୍ଦୋଳନକାରୀମାନେ ସଚିବାଳୟ ଅଭିମୁଖେ ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ଆନ୍ଦୋଳନକାରୀ ଓ ପୁଲିସ୍‌ ମଧ୍ୟରେ କିଛି ସମୟ ପାଇଁ ସଂଘର୍ଷ ଦେଖିବାକୁ ମିଳିଛି।

ପୁଲିସ୍‌ ସେମାନଙ୍କୁ ଅଟକାଇବାରୁ ସେହି ସ୍ଥାନରେ ହିଁ ସେମାନେ ବିକ୍ଷୋଭ କରିଥିଲେ। ଆନ୍ଦୋଳନକାରୀମାନେ କାଲାଇଭାନରା ଅରନଗାମ ଠାରୁ ଚେପକ ମଧ୍ୟ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରାରେ ଏତେ ଲୋକ ଥିଲେ ଯେ ପୁଲିସକୁ ଭିଡ଼ ନିୟନ୍ତ୍ରଣ ପାଇଁ ନାକେଦମ ହେବାକୁ ପଡ଼ିଥିଲା।

ବୁଧବାର ଆନ୍ଦୋଳନ ପାଇଁ ଅନୁମତି ଲୋଡ଼ି ତାମିଲନାଡୁ ଇସଲାମିକ ଗ୍ରୁପ ଓ ରାଜନୀତିକ ସଂଗଠନ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ମାର୍ଚ୍ଚ ୧୧ ଯାଏ କୌଣସି ଆନ୍ଦୋଳନ ନ କରିବାକୁ କହିଥିଲେ। ତଥାପି ଆଜି ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଛି।

ନିକଟରେ ବିରୋଧୀ ଡିଏମକେ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପ ଆଗତ କରିଥିଲା। ହେଲେ କ୍ଷମତାସୀନ ଏଆଇଏଡିଏମକେ ଏହାକୁ ବିରୋଧ କରିଥିଲା। ବାଚସ୍ପତି ମଧ୍ୟ ଏହି ପ୍ରସ୍ତାବ ଉପରେ ଭୋଟିଂ ପାଇଁ ଅନୁମତି ଦେଇ ନଥିଲେ। ଫଳରେ ବିଧାନସଭାରେ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ସଂକଳ୍ପ ପାରିତ କରିବା ପାଇଁ ଆଜି ହଜାର ହଜାର ଲୋକ ଶୋଭାଯାତ୍ରା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।