ହିଂସା ପରେ ପଞ୍ଜାବ ଓ ହରିଆଣାରେ ହାଇଆଲର୍ଟ, ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଦେଖି ପଞ୍ଜାବ ଓ ହରିଆଣାରେ ଛନକା ପଶିଛି। ଦିଲ୍ଲୀ ହିଂସାକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିଆଣାରେ ହାଇଆଲର୍ଟ ଜାରି କରାଯାଇଛି। ଚାଷୀଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସ୍‌କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ରବୀନ ଠୁକରାଲ ଆଜି ଟ୍ୱିଟ କରି କହିଛନ୍ତି, କିଷାନ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସକାଣ୍ଡକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଞ୍ଜାବ ପୁଲିସ୍‌କୁ ହାଇଆଲର୍ଟ ଜାରି କରିଛନ୍ତି। ପଞ୍ଜାବ ଡିଜିପିଙ୍କୁ ଯେକୌଣସି ପରିସ୍ଥିତିରେ ବି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେ କହିଛନ୍ତି।

ହରିଆଣା ଡିଜିପି ମଧ୍ୟ ସମସ୍ତ ଜିଲ୍ଲାର ଏସପି ଓ ବରିଷ୍ଠ ଅଧିକାରୀଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି। ଡିଜିପି ମନୋଜ ଯାଦବଙ୍କ କହିଛନ୍ତି, ବିଶୃଙ୍ଖଳା କରିବାକୁ ଚେଷ୍ଟା କରୁଥିବା ଦୁର୍ବୃତ୍ତଙ୍କୁ କେବେ ହେଲେ କ୍ଷମା କରାଯିବ ନାହିଁ। ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଖାଲି ସେତିକି ନୁହେଁ, ଗୁଇନ୍ଦା ବିଭାଗ ପୂରା ସ୍ଥିତି ଉପରେ ନଜର ରଖିଛି। ହରିଆଣା ପୁଲିସ୍‌ କୌଣସି ରିସ୍କ ନେବା ମୁଡରେ ନାହିଁ। ସାଧାରଣ ସମ୍ପତ୍ତି ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଗିରଫ କରାଯିବ। ସୋନିପତ, ଝଝାର ଓ ପାଲୱାଲ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଡିଜିପି ପ୍ରମୁଖ ସାମିଲ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।