ଗାନ୍ଧିଙ୍କ ପାଇଁ କଂଗ୍ରେସ-ବିଜେପି ରାଲି ଯୁଦ୍ଧ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ କିଏ ଅନୁପ୍ରାଣିତ? କଂଗ୍ରେସ ନା ବିଜେପି? ସେକଥା ଲୋକଙ୍କୁ ଜଣାଇବା ପାଇଁ ଆଜି ଗାନ୍ଧିଙ୍କ ୧୫୦ତମ ଜନ୍ମଦିନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଶୋଭାଯାତ୍ରା ଯୁଦ୍ଧ ଦେଖିବାକୁ ମିଳିଛି। ଆଜି ମହାତ୍ମା ଗାନ୍ଧିଙ୍କ ଜନ୍ମଦିନରେ ବିଜେପି ପକ୍ଷରୁ ଅମିତ ଶାହ ଓ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ପୃଥକ ପୃଥକ ପଦଯାତ୍ରା କରି ଲୋକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଛନ୍ତି।

ଆଜି ରାହୁଲ ଗାନ୍ଧି ଶତାଧିକ କଂଗ୍ରେସ କର୍ମୀଙ୍କୁ ନେଇ ରାଜଘାଟ ଅଭିମୁଖେ ପଦଯାତ୍ରା କରିଥିଲେ। ପ୍ରବଳ ଭିଡ଼ ହେବାରୁ ସୁରକ୍ଷାକର୍ମୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କ ସହ ପଦଯାତ୍ରା ସମୟରେ ସେଲଫି ନେବାକୁ ମଧ୍ୟ ଠେଲାପେଲା କରିଥିଲେ। କଂଗ୍ରେସ ପକ୍ଷରୁ ଏହି ପଦଯାତ୍ରାର ନାଁ “ଗାନ୍ଧି ସନ୍ଦେଶ ଯାତ୍ରା” ରଖାଯାଇଥିଲା। ଏହା ଦୀନ ଦୟାଲ ଉପାଧ୍ୟୟ ମାର୍ଗରେ ଥିବା ଦିଲ୍ଲୀ କଂଗ୍ରେସ ଅଫିସ ରାଜୀବ ଭବନ ଠାରୁ ଆରମ୍ଭ ହୋଇ ରାଜଘାଟ ଯାଏ ଯାଇଥିଲା। ଦୀର୍ଘ ୩ କିମି ବାଟ କଂଗ୍ରେସ କର୍ମୀମାନେ ହାତରେ ପତାକା ଓ ତୁଣ୍ଡରେ ମହାତ୍ମା ଗାନ୍ଧି ଅମର ରହୈ ନାରା ଦେଇ ଆଗକୁ ବଢ଼ିଥିଲେ।

ଅନ୍ୟପକ୍ଷରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ “ଗାନ୍ଧି ସଂକଳ୍ପ ଯାତ୍ରା”ର ଶୁଭାରମ୍ଭ କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ୪ ମାସ ଧରି ସମଗ୍ର ଦେଶରେ ପାଳନ କରାଯିବ। ଲୋକଙ୍କୁ ସ୍ୱଚ୍ଛତା, ସରଳତା, ଖଦିର ବ୍ୟବହାର ଓ ଅହିଂସା ବାବଦରେ ସଚେତନ କରାଯିବା ପାଇଁ ଏହି ପଦଯାତ୍ରା ବିଜେପି ପକ୍ଷରୁ ଆୟୋଜନ କରାଯାଇଛି।
ଏହାପୂର୍ବରୁ ଆଜି ସକାଳେ ରାଜଘାଟଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଅନ୍ୟମାନେ ଗାନ୍ଧିଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।