ଆମେରିକାରେ ଭାରତୀୟଙ୍କୁ ଗୁଳିମାଡ଼

ହାଇଦ୍ରାବାଦ: ଆମେରିକାର ଚିକାଗୋରେ ରହୁଥିବା ଜଣେ ୪୩ ବର୍ଷୀୟ ଭାରତୀୟଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନାଁ ମହମ୍ମଦ ମୁଜଜିବୁଦ୍ଦିନ। ତାଙ୍କ ପରିବାର ଲୋକ ହାଇଦ୍ରାବାଦରେ ରହୁଥିବା ବେଳେ ସେ ଜଣେ ବନ୍ଧୁଙ୍କ ସହ ହାଇଦ୍ରାବାଦରେ ରହୁଥିଲେ।

ଏବେ ସେ ଗୁଳିମାଡ଼ର ଶିକାର ହୋଇଥିବାରୁ ତାଙ୍କର ଦେଖାଶୁଣା କରିବାକୁ ପରିବାର ଲୋକ ଆମେରିକା ଯିବାକୁ ଚାହୁଁଛନ୍ତି। ଏଥିପାଇଁ ମହମ୍ମଦଙ୍କ ପତ୍ନୀ ତେଲେଙ୍ଗାନା ଆଇଟି ମନ୍ତ୍ରୀ କେଟି ରାମା ରାଓଙ୍କୁ ଚିଠି ଲେଖି ସାହାଯ୍ୟ ମାଗିଛନ୍ତି।

ହାଇଦ୍ରାବାଦରେ ମହମ୍ମଦଙ୍କ ପତ୍ନୀ, ପିଲା ଓ ମା’ ରହୁଛନ୍ତି। ଆମେରିକାରେ ରହୁଥିବା ମହମ୍ମଦଙ୍କ ରୁମମେଟ୍‌ ଗୁଳିମାଡ଼ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେଇଛନ୍ତି। ମହମ୍ମଦ ଗାଡ଼ିରେ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ତାଙ୍କୁ ଲୁଟ୍‌ କରି ଗୁଳି କରିଦେଇଥିଲେ। ଖବର ପାଇ ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ମହମ୍ମଦଙ୍କ ପତ୍ନୀ କହିଛନ୍ତି, “ଆମେ ଏବେ ବହୁତ ଚିନ୍ତାରେ ରହିଛୁ। କାରଣ ମୋ ସ୍ୱାମୀଙ୍କ ଦେଖାଶୁଣା କରିବାକୁ କେହି ନାହାନ୍ତି। ତେଣୁ ଆମେରିକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତୁରନ୍ତ ମୋ ସ୍ୱାମୀଙ୍କୁ ସମସ୍ତ ପ୍ରକାରର ମେଡିକାଲ ସୁବିଧା ଯୋଗାଇ ଦିଆଯାଉ। ସେହିପରି ହାଇଦ୍ରାବାଦରେ ଥିବା ଆମେରିକା କନସ୍ୟୁଲେଟ୍‌ ଆମ ପରିବାରକୁ ଚିକାଗୋ ଯିବା ପାଇଁ ଜରୁରୀ କାଳୀନ ଭିତ୍ତି ଭିସା ଯୋଗାଇ ଦେଉ।”

ସହରରେ ଥିବା ମଜଲିସ ବଚାଓ ତେହରୀକ(ଏମବିଟି) ନେତା ଅମଜେଦ ଉଲ୍ଲା ଖାନ ଟ୍ୱିଟ କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତୁରନ୍ତ ମହମ୍ମଦଙ୍କ ପାଖକୁ ବରିଷ୍ଠ ଅଧିକାରୀଙ୍କୁ ପଠାଇବାକୁ ନିବେଦନ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।