ଉନ୍ନାଓ ପୀଡ଼ିତାଙ୍କୁ ଜୀଅନ୍ତା ଜାଳିବା ଘଟଣା: ଲୋକସଭା ହୁଲସ୍ତୁଲ କଲା କଂଗ୍ରେସ

ନୂଆଦିଲ୍ଲୀ: ଜାମିନରେ ଆସି ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ପୀଡ଼ିତାଙ୍କୁ ଜୀଅନ୍ତା ଜାଳି ହତ୍ୟା ଉଦ୍ୟମ ଘଟଣାର ତାତି ଆଜି ଲୋକସଭାରେ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀ କଂଗ୍ରେସ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛି।

ଅନ୍ୟପକ୍ଷରେ ବିରୋଧୀଙ୍କ ସବୁ ଅଭିଯୋଗର ଜବାବ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦେଇଛନ୍ତି। ତେବେ ଇରାନୀଙ୍କ ମନ୍ତବ୍ୟ ବେଳେ ତାଙ୍କୁ କଂଗ୍ରେସର ଦୁଇ ଜଣ ସାଂସଦ ଖରାପ ଆଚରଣ କରିଥିବା ଅଭିଯୋଗ କରିଛି ବିଜେପି। ଏପରି କଂଗ୍ରେସର ସଂପୃକ୍ତ ଦୁଇ ସାଂସଦଙ୍କ କ୍ଷମା ମାଗନ୍ତୁ ବୋଲି ମଧ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି।

ଆଜି ଶୂନ୍ୟ କାଳରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଉନ୍ନାଓ ଘଟଣା ଉଠାଇଥିଲେ। ସେ କହିଥିଲେ “ଉନ୍ନାଓ ପୀଡ଼ିତାଙ୍କ ଶରୀରର ୯୫% ଅଂଶ ପୋଡ଼ି ଦିଆଯାଇଛି। ଏ ଦେଶରେ କ’ ଣ ସବୁ ଚାଲିଛି? ଗୋଟିଏ ପଟେ ମର୍ଯ୍ୟାଦା ପୁରୁଷ ରାମଙ୍କ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ପ୍ରୟାସ ଚାଲିଥିବା ବେଳେ ଅନ୍ୟ ପଟେ ସୀତା ମା’ଙ୍କୁ ଏଭଳି ବିଚ୍‌ ରାସ୍ତାରେ ଜୀଅନ୍ତା ଜାଳି ଦିଆଯାଉଛି। ଅପରାଧୀମାନେ ଏତେ ସାହାସ କେଉଁଠୁ ପାଉଛନ୍ତି?

ଉତ୍ତର ପ୍ରଦେଶକୁ ସେମାନେ ଉତ୍ତମ ପ୍ରଦେଶରେ ପରିଣତ କରିବାକୁ ଚାହୁଁଛନ୍ତି, ହେଲେ ଏବେ ଏହା ଅଧର୍ମ ପ୍ରଦେଶରେ ପରିଣତ ହୋଇଗଲାଣି।” କଂଗ୍ରେସ ସାଂସଦମାନେ ଏହାକୁ ସମର୍ଥନ କରିବା ସହ ଉନ୍ନାଓ ଘଟଣା ବିରୋଧରେ କକ୍ଷତ୍ୟାଗ କରିଥିଲେ।

ସ୍ମୃତି ଇରାନୀ ଏହାର ଜବାବ ଦେଇ କହିଛନ୍ତି, “ମହିଳାଙ୍କ ସୁରକ୍ଷା ଓ ସମ୍ମାନରେ ସାଂପ୍ରଦାୟିକ ରଙ୍ଗ ଲଗାଇବା ଠିକ୍‌ ନୁହେଁ। ଜଣେ ସାଂସଦ ତେଲେଙ୍ଗାନା ଓ ଉନ୍ନାଓ ଘଟଣା ଉଠାଇଲେ। ହେଲେ ସେ ମାଲଦା କଥା ଉଠାଇଲେ ନାହିଁ। ପଶ୍ଚିମବଙ୍ଗରେ ଦୁଷ୍କର୍ମକୁ ଏକ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ତେଲେଙ୍ଗାନା ଓ ଉନ୍ନାଓରେ ଯାହା ବି ଘଟିଲା ତା’ହା ଅମାନବୀୟ ଏବଂ ଦୋଷୀମାନେ ଫାଶୀ ଖୁଣ୍ଟରେ ଝୁଲିବା ଦରକାର। କିନ୍ତୁ ଏହାକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରା ନଯାଉ।”

ଇରାନୀଙ୍କ ଭାଷଣ ବେଳେ କଂଗ୍ରେସର ଦୁଇ ସାଂସଦ ଅତ୍ୟଧିକ ବ୍ୟକ୍ତିଗତ ସ୍ତରକୁ ଆସି ଯାଇଥିଲେ। ଏପରି କି ସେମାନେ ସ୍ମୃତି ଇରାନୀଙ୍କୁ ଅଭଦ୍ର ବ୍ୟବହାର କରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏବେ କଂଗ୍ରେସର ସାଂସଦମାନେ କ୍ଷମା ମାଗିବା ଦରକାର ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଦାବି କରିଛନ୍ତି। ଏପରି କି ଆପ୍‌ର ଭଗବତ ମାନ, ବିଜେପିର ରମା ଦେବୀ ଓ ମୀନାକ୍ଷୀ ଲେଖି ମଧ୍ୟ ସମାନ ଦାବି କରିଛନ୍ତି। ସ୍ମୃତି ଇରାନୀ ମଧ୍ୟ କଂଗ୍ରେସ ସାଂସଦଙ୍କ ବ୍ୟବହାରରେ ଆଶ୍ଚର୍ଯ୍ୟ ଚକିତ ହୋଇଥିବା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।