୯୦୦% ବଢ଼ିବ ଆଇଆଇଟି ଏମ୍‌ଟେକ୍‌ ଫି

ନୂଆଦିଲ୍ଲୀ: ଆଗାମୀ ଶିକ୍ଷାବର୍ଷରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ଆଇଆଇଟି)ରେ ଏମ୍‌ଟେକ୍‌ ପାଠ୍ୟକ୍ରମ ମହଙ୍ଗା ହେବ। ପୂର୍ବରୁ ଏହି ପାଠ୍ୟକ୍ରମ ପାଇଁ ଯେଉଁ ଫି ଥିଲା ଏବେ ତାହା ୧୦ ଗୁଣା ବୃଦ୍ଧି ହୋଇ ୨ ଲକ୍ଷ ଟଙ୍କା ହୋଇଛି। ଏହି ବର୍ଦ୍ଧିତ ପାଠ୍ୟକ୍ରମ ସହ ଏବେ ଆଇଆଇଟିରେ ବିଟେକ୍ ଓ ଏମଟେକ୍ ପାଠ୍ୟକ୍ରମର ଫି ସମାନ୍ ହୋଇଛି।

ଗତକାଲି ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ଏମ୍‌ଟେକ୍ ପାଠ୍ୟକ୍ରମର ଫି ବଢ଼େଇବାକୁ ନିଷ୍ପତ୍ତି ନିଆଯାଥିବା ଜଣାପଡ଼ିଛି। ସେହିପରି ଏମଟେକ୍ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମାସିକ ୧୨,୪୦୦ ଟଙ୍କା ଛାତ୍ରବୃତ୍ତି ମଧ୍ୟ ଆଉ ଦିଆଯିବନି ବୋଲି ନିଷ୍ପତ୍ତି ନିଆଯାଇଛି। ଗେଟ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମାର୍କ ଅନୁସାରେ ଏହି ଛାତ୍ରବୃତ୍ତି ପ୍ରତି ମାସ ମିଳିଥାଏ।

ପ୍ରଫେସର ଏବଂ ସହଯୋଗୀ ପ୍ରଫେସରଙ୍କ ଦକ୍ଷତା ଉପରେ ମଧ୍ୟ ପ୍ରତି ୫.୫ ବର୍ଷରେ ସମୀକ୍ଷା କରାଯିବ ବୋଲି ଏଚଆରଡି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ପ୍ରଫେସରମାନଙ୍କର ଗବେଷଣା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଉପରେ ମଧ୍ୟ କମିଟି ସମୀକ୍ଷା କରିବ। ଯଦି ଭଲ କାମ କରିଥିବେ ତାହେଲେ ପଦୋନ୍ନତି ହେବ, ନହେଲେ ପଦବୀ ଛାଡ଼ିବା ପାଇଁ କୁହାଯିବ ବୋଲି ସେ କହିଛନ୍ତି।

ଏବେ ମୁମ୍ୱାଇ ସ୍ଥିତ ଆଇଆଇଟିର ଏମଟେକ ପାଠ୍ୟକ୍ରମ ପାଇଁ ୫ ହଜାର, ଦିଲ୍ଲୀରେ ପ୍ରତି ସେମିଷ୍ଟାର ପିଛା ୧୦ ହଜାର ଟଙ୍କା ରହିଛି। ଅର୍ଥାତ୍ ବର୍ଷକୁ ୨୦ ହଜାର ଏବଂ ୪୦ ହଜାର ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।