ତୀବ୍ର ହେଉଛି ଭାରତ-ଚାଇନା ବିବାଦ, ସୀମାରେ ସେନା ମୁତୟନ ସହ ଛକାପଞ୍ଝା ଜାରି

ନୂଆଦିଲ୍ଲୀ: ଇଷ୍ଟର୍ଣ୍ଣ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଭାରତ ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଚାଇନାର ବିସ୍ତାରବାଦ ନୀତିକୁ ଭାରତ ଜୋରଦାର ବିରୋଧ କରିବାରୁ ସ୍ଥିତି ଦିନକୁ ଦିନ ବିଗୁଡ଼ୁଛି। ଉଭୟ ପକ୍ଷ ସୀମାରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏପରି କି ଲଦାଖ ସୀମାରେ ଚାଇନା ଏୟାରବେସ୍‌ ମଧ୍ୟ ନିର୍ମାଣ କରିଛି। ଏହାର ସ୍ୟାଟେଲାଇନ ଛବି ସାମ୍ନାକୁ ଆସିଛି।

୬ ଏପ୍ରିଲ ୨୦୨୦ରେ ଚାଇନା ସୀମାରେ କୌଣସି ପ୍ରକାରର ଏୟାରବେସ ନଥିଲା। ହେଲେ ସେହି ସ୍ଥାନରେ ୨୦୨୦ ମସିହା ମେ’ ୨୧ରେ ନିଆଯାଇଥିବା ଫଟୋରେ ଏୟାରବେସ ଦେଖିବାକୁ ମିଳିଛି। ଏଥିସହ ଚାଇନା ଅସ୍ଥାୟୀ ସେନା କ୍ୟାମ୍ପ ତିଆରି କରିବା ସହ ଘନଘନ ଯୁଦ୍ଧ ବିମାନ ମଧ୍ୟ ଉଡ଼ାଉଛି।

୨୦୧୭ରେ ଡୋକଲାମରେ ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ୭୩ ଦିନ ଧରି ବିବାଦ ଲାଗି ରହିଥିଲା। ଶେଷରେ କୂଟନୀତିକ ସ୍ତରରେ ଆଲୋଚନା ଦ୍ୱାରା ବିବାଦର ସମାଧାନ ହୋଇଥିଲା। ବର୍ତ୍ତମାନ ଲଦାଖ ସୀମାରେ ସମାନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଭାରତ ଓ ଚାଇନା ମଧ୍ୟରେ ଡୋକଲାମ ଠାରୁ ବି ବଡ଼ ବିବାଦ ସୃଷ୍ଟି ହେବାକୁ ଯାଉଥିବା ଆଶଙ୍କା କରାଯାଉଛି। ଇଷ୍ଟର୍ଣ୍ଣ ଲଦାଖର ବିଭିନ୍ନ ସୀମାରେ ଚାଇନା ପ୍ରାୟ ୫ ହଜାର ଟ୍ରୁପ ମୁତୟନ କରିଛି। ଭାରତ ମଧ୍ୟ ପଙ୍ଗୋଙ୍ଗ ସୋ ଓ ଗଲୱାନ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏହି ଦୁଇଟି ସ୍ଥାନରେ ଗୋଟିଏ ସପ୍ତାହ ଧରି ଭାରତ ଓ ଚାଇନା ସେନା ମୁହାଁମୁହିଁ ହେଉଛନ୍ତି।

ଚାଇନା ସେନା ପକ୍ଷରୁ ପଙ୍ଗୋଙ୍ଗ ସୋ ଓ ଗଲୱାନ ଉପତ୍ୟକାରେ ଅଧିକ ସଂଖ୍ୟକ ଟ୍ରୁପ ମୁତୟନ କରିବା ସହ ଅସ୍ଥାୟୀ କ୍ୟାମ୍ପ ମଧ୍ୟ ନିର୍ମାଣ କରିଛି। ସେହିପରି ସୀମା ନିକଟ ନଦୀରେ ଡଙ୍ଗା ଦ୍ୱାରା ପ୍ୟାଟ୍ରୋଲିଂ କରୁଛି।

ଖାଲି ସେତିକି ନୁହେଁ, ଟ୍ରକ୍‌ ଦ୍ୱାରା ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ସୀମାକୁ ପଠାଇଛି। ଭାରତୀୟ ସେନା ମଧ୍ୟ ଏହାର ମୁକାବିଲା କରିବାକୁ ତୟାର ରହିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଭାରତୀୟ ସେନା ପକ୍ଷରୁ ଲଦାଖ ସୀମାରେ ଯୁଦ୍ଧ ବିମାନ ଦ୍ୱାରା ମଧ୍ୟ ନଜର ରଖାଯାଇଛି। ଚାଇନାର ପ୍ରତିଟି ହରକତକୁ ସ୍ୟାଟେଲାଇଟ ଦ୍ୱାରା ଟ୍ରାକ କରାଯାଉଥିବା ଜଣାପଡ଼ିଛି।

ମେ’ ୫ରେ ଇଷ୍ଟର୍ଣ୍ଣ ଲଦାଖରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହୋଇଥିଲେ। ଦୁଇ ଦେଶରେ ସ୍ଥାନୀୟ କମାଣ୍ଡୋରମାନେ ପରସ୍ପର ସହ ଆଲୋଚନା କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ମୁହାଁମୁହିଁ ବେଳେ ପଥରମାଡ଼ ଓ ହାତାହାତି ସ୍ଥିତି ସୃଷ୍ଟି ହୋଇଥିବାରୁ ଭୟପକ୍ଷର ପ୍ରାୟ ୧୦୦ ଜଣ ଯବାନ ଆହତ ହୋଇଥିଲେ।

ଏହାର ୪ଦିନ ପରେ ଉତ୍ତର ସିକ୍କିମର ନାକୁ ଲା ପାସ୍‌ରେ ବି ଭାରତ ଓ ଚାଇନା ସେନା ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଏଥିରେ ଉଭୟ ପକ୍ଷରୁ ୧୦ ଜଣ ଯବାନ ଆହତ ହୋଇଥିଲେ। ଲଦାଖ ସୀମାରେ ଭାରତୀୟ ସେନା ପ୍ୟାଟ୍ରୋଲିଂ କରୁଥିବାରୁ ଏହାକୁ ମଧ୍ୟ ଚାଇନା ବିରୋଧ କରିଥିଲା।

ଏଲଏସି ଦେଇ ଭାରତୀୟ ସେନା ଚାଇନାରେ ପ୍ରବେଶ କରୁଥିବା ବେଜିଂ ଅଭିଯୋଗ କରିଛି। ଏହିସବୁ ଘଟଣା ପରେ ଉଭୟ ଦେଶ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।