ଚାଇନାକୁ ଚେକ: ଲଦାଖ ସୀମାକୁ ଗଲେ ସର୍ଜିକାଲ ଷ୍ଟ୍ରାଇକରେ ନିୟୋଜିତ ଘାତକ କମାଣ୍ଡୋ

ନୂଆଦିଲ୍ଲୀ: ଦିନକୁ ଦିନ ଚାଇନା ସହ ତିକ୍ତତା ବଢ଼ିବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ଭାରତ ସରକାର ଆଜି ଲଦାଖ ସୀମାକୁ ସ୍ପେଶାଲ ଫୋର୍ସ ୟୁନିଟିର କମାଣ୍ଡୋମାନଙ୍କୁ ପଠାଇଛନ୍ତି। ଏହି ଘାତକ କମାଣ୍ଡୋମାନେ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ରେ ସାମିଲ ହୋଇଥିଲେ। ଏବେ ଚାଇନାକୁ ଚେକ୍‌ ଦେବାକୁ ଭାରତ ସରକାର ଘାତକ କମାଣ୍ଡୋଙ୍କୁ ମୁତୟନ କରିଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପାରା ସ୍ପେଶାଲ ଫୋର୍ସର କମାଣ୍ଡୋମାନଙ୍କୁ ଆଜି ଲଦାଖ ସୀମାନ୍ତକୁ ପଠାଯାଇଛି। ସେମାନେ ସେଠାରେ ପହଞ୍ଚିବା ପରେ ନିଜ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପୂର୍ବ ଲଦାଖରେ ହିଁ ଏମାନଙ୍କୁ ମୁତୟନ କରାଯାଇଛି।

ସେମାନେ ସେଠାରେ କ’ଣ କରିବେ, ସେ ବିଷୟରେ ବି ସେନା ପକ୍ଷରୁ ସମସ୍ତଙ୍କୁ ଅବଗତ କରାଇ ଦିଆଯାଇଛି। ଆଗକୁ ଯଦି ଚାଇନା ସହ ଆହୁରି ତିକ୍ତତା ବଢ଼ିବ, ତା’ହେଲେ ଏହି ଘାତକ କମାଣ୍ଡୋମାନେ ହିଁ ଏହାର ଜବାବ ଦେବେ।

ଭାରତ ପାଖରେ ୧୨ରୁ ଅଧିକ ସ୍ପେଶାଲ ଫୋର୍ସ ରେଜିମେଣ୍ଟ ରହିଛନ୍ତି। ଯେଉଁମାନେ ଦେଶର ଅଲଗା ଅଲଗା ସ୍ଥାନରେ ଟ୍ରେନିଂ ନେଇଥାଆନ୍ତି। ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା କମାଣ୍ଡୋମାନଙ୍କୁ ଲେହ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉଚ୍ଚ ଉଚ୍ଚ ପାହାଡ଼ରେ ଟ୍ରେନିଂ ଦିଆଯାଇ ଥାଏ। ଏହାବାଦ୍‌ ଘଞ୍ଚ ଜଙ୍ଗଲ ଓ ମରୁଭୂମିରେ କେମିତି ଶତ୍ରୁ ପକ୍ଷଙ୍କୁ ମୁକାବିଲା କରାଯାଏ, ସେ ବିଷୟରେ ସମସ୍ତେ ଟ୍ରେନିଂ ନେଇଛନ୍ତି।

୨୦୧୭ରେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିଲା। ଏହି ଘାତକ କମାଣ୍ଡୋମାନେ ସୀମା ଡେଇଁ ଆତଙ୍କୀ ଲଞ୍ଚ ପ୍ୟାଡ୍‌ ସହ ଏକାଧିକ ଆତଙ୍କବାଦୀଙ୍କୁ ଖତମ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।