ଚାଷୀ ଆନ୍ଦୋଳନକୁ ନେଇ ବୟାନ ଦେଲେ କାନାଡା ପିଏମ, ଭାରତ ରଖିଲା ଏମିତି ଜବାବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଭାରତରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ସମର୍ଥନ କରିଛନ୍ତି। ଭାରତରେ ଚାଷୀମାନେ ଚଳାଇ ଥିବା ଆନ୍ଦୋଳନ ବେଶ ଚିନ୍ତା ଜନକ ବୋଲି ସେ ମତ ଦେଇଥିଲେ।

ଏହି ମତ ପରେ ଭାରତର ସରକାର ଚିହିଁକି ଉଠିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଭାରତର ଚାଷୀମାନଙ୍କୁ ନେଇ କାନାଡାର ନେତାମାନେ ଭୁଲ ତଥ୍ୟ ପାଇଁ ଖରାପ ମନ୍ତବ୍ୟ ଦେଇଛନ୍ତି। ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ।

ବିଶେଷ କରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ କେହି ହସ୍ତକ୍ଷେପ କରିବା କଥା ନୁହେଁ। କୂଟନୀତିକ ଆଲୋଚନାକୁ ରାଜନୀତିକ ଅଭିସନ୍ଧି ରୂପେ ବ୍ୟବହାର କରିବା ଠିକ ନୁହେଁ। ଏଭଳି ବୟାନରୁ କାନାଡା ବିରତ ରହିବା ଦରକାର ବୋଲି ସେ କହିଛନ୍ତି।


ଭାରତରେ ଚାଷୀମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ଜଷ୍ଟିସ କହିଥିଲେ, “କାନାଡା ସର୍ବଦା ଲୋକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାରୀକୁ ସମର୍ଥନ କରିଥାଏ। ଭାରତରେ ଚାଷୀଙ୍କ ବିଶାଳ ଆନ୍ଦୋଳନ ଚାଲିଥିବା ଖବର ମିଳିଛି। ବର୍ତ୍ତମାନ ସ୍ଥିତି ବହୁତ ଚିନ୍ତାଜନକ। ଆମେ ସମସ୍ତେ ପରିବାର ଓ ବନ୍ଧୁବାନ୍ଧବଙ୍କ ପାଇଁ ବ୍ୟସ୍ତ ରହିଛୁ। କିନ୍ତୁ ସମସ୍ତଙ୍କୁ ମନେ ରଖିବା ଦରକାର ଯେ କାନାଡା ସର୍ବଦା ଚାଷୀଙ୍କ ସହ ରହିଛି।”

ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ପ୍ରଥମଥର ପାଇଁ କୌଣସି ବିଦେଶ ରାଷ୍ଟ୍ରର ମୁଖ୍ୟ ବୟାନ ଦେବାରୁ ଏହାକୁ ଅନେକ ନପସନ୍ଦ କରିଛନ୍ତି। ଏପରି କି କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବା ଶିବସେନେ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ମଧ୍ୟ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡା ହସ୍ତକ୍ଷେପ ନ କରୁ ବୋଲି କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।