ପାକିସ୍ତାନକୁ ଜାତିସଂଘ ଝଟକା, ଫେଲ ମାରିଲା ଦୁଇ ଭାରତୀୟଙ୍କୁ ଆତଙ୍କୀ ଘୋଷଣା ଯୋଜନା

ନୂଆଦିଲ୍ଲୀ: ଦୁଇ ଭାରତୀୟ ନାଗରିକଙ୍କୁ ଆତଙ୍କବାଦୀ ଘୋଷଣା କରିବାପାଇଁ ପାକିସ୍ତାନ କରିଥିବା ଯୋଜନା ଫେଲ ମାରିଛି। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ଦୁଇ ଭାରତୀୟଙ୍କ ନାଁ ଦାଖଲ କରି ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରିବାକୁ ଯୋଜନା କରିଥିଲା। ହେଲେ ପାକିସ୍ତାନର ସବୁ ଚାଲ ଭଣ୍ଡୁର ହୋଇଯାଇଛି।

ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ବେଲଜିୟମ ପକ୍ଷରୁ ପାକିସ୍ତାନ ଦେଇଥିବା ଭାରତ ବିରୋଧୀ ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଥିଲା। ଶେଷରେ ପାକିସ୍ତାନ ତା’ ଯୋଜନାରେ ଫେଲ ମାରିଥିଲା। ଜାତିସଂଘର ସଦସ୍ୟମାନେ ସହଯୋଗ କରିଥିବାରୁ ଏ ନେଇ ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଯାଇଛି।

ଏହି ପରିଷଦର ସଦସ୍ୟମାନେ ଦୁଇ ଭାରତୀୟ ନାଗରିକଙ୍କୁ ଆତଙ୍କବାଦୀ ତାଲିକାରେ ତାଲିକାଭୁକ୍ତ କରିବାକୁ ବିରୋଧ କରିବା ସହିତ ଆତଙ୍କବାଦ ଉପରେ ଜାତିସଂଘର ପ୍ରକ୍ରିୟାକୁ ରାଜନୀତିକରଣ କରିବା ପାଇଁ ଇସଲାମାବାଦର “ଖୋଲା ଉଦ୍ୟମ” କୁ ବିଫଳ କରିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲ କାଏଦା ପ୍ରତିବନ୍ଧକ କମିଟିରେ ପାକିସ୍ତାନ ଦୁଇ ଭାରତୀୟ ଅଙ୍ଗରା ଆପାଜୀ ଏବଂ ଗୋବିନ୍ଦ ପଟ୍ଟନାୟକଙ୍କୁ ଆତଙ୍କବାଦୀ ଘୋଷଣା କରିବା ନିମନ୍ତେ ଦାଖଲ କରିଥିଲା। ତେବେ ସେମାନଙ୍କୁ କାହିଁକି ଆତଙ୍କୀ ଘୋଷଣା କରାଯିବ, ତା’ର ପ୍ରମାଣ ପାକିସ୍ତାନ ଦାଖଲ କରିପାରି ନଥିଲା। ତେଣୁ ଜାତିସଙ୍ଘ ସୁରକ୍ଷା ପରିଷଦ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା।

ଜାତିସଂଘରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଟିଏମ ତ୍ରିମୂର୍ତ୍ତି ଟ୍ୱିଟ କରି କହିଛନ୍ତି, ପାକିସ୍ତାନ ଜାତିସଂଘର ୧୨୬୭ ଆତଙ୍କବାଦ ଆଇନକୁ ରାଜନୀତିକ କରଣ କରି ଏହାକୁ ଧାର୍ମିକ ରଙ୍ଗ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ପାକିସ୍ତାନର ସମସ୍ତ ଉଦ୍ୟମକୁ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନେ ଭଣ୍ଡୁର କରିଦେଇଛନ୍ତି। ଏଥିପାଇଁ ଭାରତ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ ଟ୍ୱିଟ କରିଛନ୍ତି।

ଏହା ପୂର୍ବରୁ ପାକିସ୍ତାନ ଅଜୟ ମିସ୍ତ୍ରୀ ଏବଂ ବେଣୁମାଧବ ଡୋଙ୍ଗରାଙ୍କୁ ଆତଙ୍କବାଦୀ ତାଲିକାଭୁକ୍ତ କରିବାପାଇଁ ଆବେଦନ କରିଥିଲା । ଏହାକୁ ଜାତିସଂଘ ସୁରକ୍ଷା ପରିଷଦ ଖାରଜ କରିଥିଲା ।

ଆହୁରି ପଢ଼ନ୍ତୁ