ଇଟାଲୀ ନୌସେନା ବିରୋଧୀ କେସ୍‌ ଜିତିଲା ଭାରତ

ଥିରୁଭନନ୍ତପୁରମ: ଇଟାଲୀ ନୌସେନାର ଦୁଇ ଜଣ ସଦସ୍ୟଙ୍କ ବିରୋଧରେ ଚାଲିଥିବା କେସ୍‌ରେ ଶେଷରେ ଭାରତ ବାଜିମାତ କରିଛି। ଏହି ଦୁଇ ସଦସ୍ୟ ୨୦୧୨ରେ କେରଳରେ ଦୁଇ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗୁଳି କରିଥିଲେ। ହଗ୍‌ରେ ଥିବା Permanent Court of Arbitrationରେ ଏହାର ଶୁଣାଣି ଚାଲିଥିଲା। ଭାରତ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲରେ ଏହି ମାମଲାରେ ବିଜୟୀ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଟ୍ରିବ୍ୟୁନାଲଙ୍କ ରୁଲିଂ ଅନୁଯାୟୀ, ଇଟାଲୀ ନୌସେନାର ଦୁଇ ସଦସ୍ୟ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରିଛନ୍ତି ଓ UNCLOS ଅନୁଯାୟୀ ଭାରତକୁ ମାଛ ମାରିବା ପାଇଁ ମିଳିଥିବା ସ୍ୱାଧୀନତାକୁ ଇଟାଲୀ ସଙ୍କୁଚିତ କରିଛି। ଦୁଇ ସଦସ୍ୟଙ୍କ ଗୁଳିମାଡ଼ ପାଇଁ ଜୀବନ ହରାଇଥିବା ଦୁଇ ଭାରତୀୟଙ୍କ ପାଇଁ ଭାରତ ସରକାର ଇଟାଲୀ ଠାରୁ କ୍ଷତିପୂରଣ ମାଗିମାରିବେ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

ଦୁଇ ଇଟାଲୀୟ ନୌସେନା ସଦସ୍ୟ ସାଲଭଟୋରେ ଗିରୋନେ ଓ ମାସିମିଲିଆନୋ ଲାଟ୍ଟୋର ୨୦୧୨ରେ କେରଳ ସୀମାରେ ଦୁଇ ଜଣ ଭାରତୀୟ ଧୀବରଙ୍କୁ ଗୁଳି କରିଥିଲେ। ଭାରତ ସୀମାରେ ଇଟାଲୀ ସଦସ୍ୟମାନେ ଦୁଇ ଭାରତୀୟଙ୍କୁ ହତ୍ୟା କରିଥିବାରୁ ଭାରତୀୟ ଆଇନ ଅନୁସାରେ ମାମଲାର ବିଚାର କରିବାକୁ ସରକାର ଯୁକ୍ତି କରିଥିଲେ।

କିନ୍ତୁ ଇଟାଲୀ ଏହାକୁ ମାନି ନଥିଲା। ଶୁଟିଂ ଭାରତୀୟ ସୀମା ବାହାରେ ହୋଇଥିବା କହିଥିଲା। ଶେଷରେ ଇଣ୍ଟନ୍ୟାଶନାଲ ଟ୍ରିବ୍ୟୁନାଲରେ ଏହାର ଶୁଣାଣି ହୋଇଥିଲା। ଏଥିରେ ଭାରତର ବିଜୟ ହୋଇଛି। କ୍ଷତି ପୂରଣ ମାଗିବାର ଅଧିକାର ଭାରତକୁ ମିଳିଥିବା ବେଳେ ଦୁଇ ଇଟାଲୀ ସଦସ୍ୟଙ୍କୁ ଭାରତୀୟ ଆଇନ ଅନୁସାରେ ଦଣ୍ଡବିଧାନ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।