କଶ୍ମୀର ପଣ୍ଡିତଙ୍କୁ ହତ୍ୟାର ୨୪ ଘଣ୍ଟାରେ ବଦ୍‌ଲା ନେଲା ସେନା

ଜମ୍ମୁ: କଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟାର ୨୪ ଘଣ୍ଟାରେ ବଦ୍‌ଲା ନେଲା ସେନା । ବଡ଼ଗାମରେ ଅଫିସ୍ ଭିତରେ ପଶି ରାହୁଲଙ୍କୁ ଆତଙ୍କବାଦୀଙ୍କ ହତ୍ୟା ପରେ ଆକ୍ସନ ମୋଡ୍‌ରେ ଥିବା ସୁରକ୍ଷା କର୍ମୀ ଆଜି ବାନ୍ଦିପୋରା ଅଞ୍ଚଳରେ ଏନ୍‌କାଉଣ୍ଟର କରି ଦୁଇ ଲସ୍କର ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ବାନ୍ଦିପୋରାର ବାର୍‌ ଅଞ୍ଚଳରେ ଆଜି ହୋଇଥିବା ଗୁଳି ବିନିମୟ ବେଳେ ଦୁଇ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।  ନିହତ ଦୁଇ ଲସ୍କର ଆତଙ୍କବାଦୀଙ୍କ ପରିଚୟ ବି ମିଳିଛି । ଜଣେ ଫଇଜାଲ ଓରଫ ସିକନ୍ଦର ଓ ଅନ୍ୟଜଣେ ଆବୁ ଉକାସା । ଗତବର୍ଷ ଡିସେମ୍ବର ୧୦ ତାରିଖରେ ଗୁଲସନ ଚୌକ ଓ ନିଶତ ପାର୍କ ଅଞ୍ଚଳରେ ୩ ଜଣ ପୁଲିସ କର୍ମୀଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିଲା ଫୈଜାଲ ।

ଗୁରୁବାର ବଡଗାମ୍ ଅଞ୍ଚଳରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ଏ ଦୁଇ ଲସ୍କର ଆତଙ୍କବାଦୀ ବାନ୍ଦିପୋରା ଯାଇଥିବା ସୂଚନା ମିଳିବା ପରେ ପୁଲିସ ଏମାନଙ୍କ ପିଛା କରିଥିଲା । ଏମାନେ ଆରଗାମ୍ ଅଞ୍ଚଳରେ ଲୁଚିଥିବା ଖବର ପାଇ ସୁରକ୍ଷା ବାହିନୀ ଅପରେସନ୍  ଆରମ୍ଭ କରିଥିବା ବେଳେ ଏମାନଙ୍କ ମୃତ୍ୟୁ ହୋଇଛି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ  ଅପରେସନ ଜାରି ରହିଛି। ରାହୁଲଙ୍କ ହତ୍ୟା ପ୍ରତିବାଦରେ କଶ୍ମୀର ଭ୍ୟାଲିରେ ପ୍ରାୟ ୩୫୦ ଜଣ ସରକାରୀ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି।

ସେମାନେ ତାଙ୍କ ଇସ୍ତଫାପତ୍ରକୁ ଜମ୍ମୁ କଶ୍ମୀରିର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ଜବରଦସ୍ତ ପ୍ରବେଶ କରି କଶ୍ମୀର ପଣ୍ଡିତ ରାହୁଲ୍‌ ଭଟଙ୍କୁ ହତ୍ୟା କରିଥିଲେ। ସେମାନେ ନିଜକୁ ସୁରକ୍ଷିତ ମନେ କରୁନଥିବା ପଣ୍ଡିତମାନେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।