ପଶ୍ଚିମବଙ୍ଗ ରାଜ୍ୟପାଳ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନ୍‌ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ହୋଇଛନ୍ତି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି। ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନୀତିନ ଗଡ଼କରୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ବିଜେପି ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ପ୍ରମୁଖ ଯୋଗ ଦେଇଥିଲେ।

 ଆଲୋଚନା ପରେ ଧନକରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଆଜି ଅପରାହ୍ନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।ପୂର୍ବତନ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁକ୍ତାର ଅବାସ ନକଭି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ, କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା।  ହେଲେ ବିଜେପି ଜଗଦୀପ ଧନକରଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ଜଗଦୀପ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଜଗଦୀପଙ୍କ ତିକ୍ତ ସମ୍ପର୍କ ଚର୍ଚ୍ଚାରେ ରହିଆସିଛି। ଉଭୟେ ଅନେକ ସମୟରେ ମୁହାଁମୁହିଁ ହୋଇ ଥିବା ଜଣାଯାଏ। ଏମିତିକି  କଥା ବ୍ୟକ୍ତିଗତ ଆକ୍ଷେପ-ପ୍ରତିଆକ୍ଷେପ ପର୍ଯ୍ୟନ୍ତ ଯାଇଛି। ସେ ବାରମ୍ବାର ବେଙ୍ଗଲର ଶାସକ ଦଳ ବିରୋଧରେ ସାମ୍ପ୍ରଦାୟିକ ଉତ୍ତେଜନା, ତୁଷ୍ଟୀକରଣ ଓ ରାଜ୍ୟର ‌ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଅଭିଯୋଗ ଆଣୁଥିଲେ।

ତେବେ ଗତ ବୁଧବାର ଦିନ ମମତା ବାନାର୍ଜୀ ରାଜ୍ୟପାଳ ଧନକଡ଼ଙ୍କୁ ଭେଟିଥିଲେ । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ଓ ଏହି ଅବସରରେ ରାଜନୀତି ସମ୍ପର୍କରେ ଅଥବା ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିଲା ବୋଲି ମମତା କହିଥିଲେ । ଧନକର ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ । ସେ ମଧ୍ୟ ଜଣେ ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ପରିଚୟ ଲାଭ କରିଛନ୍ତି। ସୂଚନା ଅନୁଯାୟୀ, ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଗତ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।