ଖଣିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ

କଡ଼ପା: ଆନ୍ଧ୍ର ପ୍ରଦେଶର କଡ଼ପାରେ ଥିବା ଗୋଟିଏ ଚୂନପଥର ଖଣିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ବିସ୍ଫୋରଣ ବେଳେ ଏଠାରେ ପ୍ରାୟ ୪୦ ଜଣ ଶ୍ରମିକ କାମ କରୁଥିଲେ। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁସାରେ, କାଲସାପାଡୁ ବ୍ଲକର ମାମିଲ୍ଲାପାଲ୍ଲେ ଗାଁରେ ଏହି ଚୂନପଥର ଖଣି ଖାଦାନ ରହିଥିଲା। ସବୁଦିନ ପରେ ଆଜି ମଧ୍ୟ ଶ୍ରମିକମାନେ କାମ କରୁଥିଲେ। ତେବେ ଜିଲୋଟିନ ଷ୍ଟିକ ଅନଲୋଡ୍‌ ବେଳେ ହଠାତ୍‌ ଅଘଟଣ ଘଟିଥିଲା। ଜିଲୋଟିନ ଷ୍ଟିକ ବିସ୍ଫୋରଣ କରିବାରୁ ପୂରା ଖଣି ଖାଦାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣା ସ୍ଥଳରେ ହିଁ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ଯୋଗୁ ଏକାଧିକ ସ୍ଥାନରେ ମାଟି ଧସି ପଡ଼ିବାରୁ ଧ୍ୱଂସାବଶେଷ ତଳେ ଶ୍ରମିକମାନେ ଚାପି ହୋଇଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ଧ୍ୱଂସାବଶେଷ ତଳୁ ୧୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଏହା ତଳେ ଆଉ କିଛି ଶ୍ରମିକ ପୋତି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବୁଡୱେଲରୁ ଆସିଥିବା ଜିଲୋଟିନ୍‌ କେମିତି ବିସ୍ଫୋରଣ ହେଲା, ତା’ର ପ୍ରକୃତ କାରଣ ଜଣାପଡ଼ିନି। ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କଡ଼ପା ଜିଲ୍ଲା ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।