ଚାଇନିଜ ଯବାନଙ୍କର ପୁଣି ଅନୁପ୍ରବେଶ, ଭାରତୀୟ ସୀମାର ୫ କିମି ଭିତରକୁ ପଶିଥିଲେ

ନୂଆଦିଲ୍ଲୀ: ପୁଣିଥରେ ସୀମା ଲଙ୍ଘିଛି ଚାଇନା। ସବୁ ନିୟମ ଉଲ୍ଲଙ୍ଘନ କରି ପ୍ରକୃତ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରିଥିଲେ ଚାଇନିଜ ଯବାନ। ଭାରତୀୟ ସୀମାର ୫ କିମି ଭିତରକୁ ପଶି ଚାଇନାର ଯବାନମାନେ କିଛି ଘଣ୍ଟା ରହିବା ପରେ ପୁଣିଥରେ ନିଜ ଅଞ୍ଚଳକୁ ଚାଲି ଯାଇଛନ୍ତି।

ଅଗଷ୍ଟ ୩୦ ତାରିଖରେ ଉତ୍ତରାଖଣ୍ଡର ସୀମାନ୍ତ ବାରାହୋତି ଅଞ୍ଚଳରେ ଏପରି ଘଟଣା ଘଟିଥିଲା। ଆଜି ଜାତୀୟ ଗଣମାଧ୍ୟମରେ ଏ ସର୍ମ୍ପିକତ ଖବର ପାଇଛି। ପ୍ରକାଶିତ ଖବର ଅନୁଯାୟୀ, ଅଗଷ୍ଟ ୩୦ରେ ପ୍ରାୟ ୧୦୦ ଜଣ ଚାଇନିଜ ଯବାନ ଏଲଏସି ଡେଇଁ ଭାରତୀୟ ସୀମାରେ ପ୍ରବେଶ କରିଥିଲେ।

ଏହାପରେ ଭାରତୀୟ ସୀମାର ପ୍ରାୟ ୫ କିମି ଭିତରକୁ ଆସିଥିଲେ। ତେବେ ଆଇଟିବିପି ଯବାନମାନେ ସେମାନଙ୍କ ଅନୁପ୍ରବେଶ ରାସ୍ତାରେ କଣ୍ଟା ସାଜିଥିଲେ। ଆଇଟିବିପି ଯବାନଙ୍କୁ ଦେଖିବା ପରେ ସେମାନେ କିଛି ଘଣ୍ଟା ଉକ୍ତ ଅଞ୍ଚଳରେ ରହିବା ପରେ ପୁଣି ସୀମା ଡେଇଁ ଚାଇନିଜ ମାଟିକୁ ଚାଲି ଯାଇଥିଲେ।

ଭାରତୀୟ ଯବାନମାନେ ଏହି ଘଟଣାରେ ପରେ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ପ୍ୟାଟ୍ରୋଲିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ଚାଇନାର ଅନୁପ୍ରବେଶ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ସେହିପରି ଚାଇନିଜ ଯବାନ ଅନୁପ୍ରବେଶ କରିଥିଲେ ହେଁ କୌଣସି ପ୍ରକାରର ଭିତ୍ତିଭୂମି ଜନିତ କ୍ଷୟକ୍ଷତି ଭାରତର ଘଟିନାହିଁ। ଏହା କେବଳ ଗୋଟିଏ ଛୋଟ ଧରଣର ଅନୁପ୍ରବେଶ ବୋଲି କୁହାଯାଉଛି।

ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ସାମାନ୍ୟ ଶିଥିଳ ପଡ଼ିଥିବା ବେଳେ ଏବେ ଉତ୍ତରାଖଣ୍ଡରୁ ଏପରି ବିବାଦୀୟ ଘଟଣା ସାମ୍ନାକୁ ଆସିଛି। ଲଦାଖ ବିବାଦ ପରେ ଦୁଇଟି ସମ୍ବେଦନଶୀଳ ସ୍ଥାନରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଛନ୍ତି। କିନ୍ତୁ ତଥାପି ସୀମାରେ ଭାରତ ଓ ଚାଇନା ସୁରକ୍ଷାକର୍ମୀଙ୍କୁ ମୁତୟନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ବିବାଦୀୟ ଅଞ୍ଚଳରୁ ସଂପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର ପାଇଁ ବୈଠକ ମଧ୍ୟ ଜାରି ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।