ଅବକାରୀ ନୀତି ମାମଲା: ୧୦୦ କୋଟିର ଲାଞ୍ଚ କାରବାର ହୋଇଥିବା କହିଲା ଇଡି

ନୂଆଦିଲ୍ଲ: ଲାଗୁ ହୋଇ ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଡ଼ ଦାବି କରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଅବକାରୀ ନୀତିରେ ସୁହାଇବା ଭଳି ବ୍ୟବସ୍ଥା କରିବାକୁ ୧୦୦ କୋଟିର ଲାଞ୍ଚ କାରବାର ହୋଇଥିବା ଇଡି ତଦନ୍ତ ବେଳେ ଜାଣିବାକୁ ପାଇଥିବା ଦାବି କରିଛି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କୁ ଇଡି ଓ ସିବିଆଇ ଜେରା କରିବା ସହ ତାଙ୍କ ଘରେ ମଧ୍ୟ ରେଡ୍‌ କରାଯାଇଥିଲା। ତଥାପି ଇଡି କିମ୍ବା ସିବିଆଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ପାଇ ନଥିବା କୁହାଯାଉଛି। ଏପରି ସ୍ଥିତିରେ ଇଡି ୧୦୦ କୋଟିର ଲାଞ୍ଚ କାରବାର ହୋଇଥିବା କଥା କହିଛି।

ଇଡି ଆହୁରି କହିଛି ଯେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ସମେତ ପ୍ରାୟ ୩୬ରୁ ଅଧିକ ଭିଆଇପି ସାମିଲ ରହିଛନ୍ତି। ସେମାନେ ପୂରା ଘଟଣାର ଡିଜିଟାଲ ପ୍ରାମଣ ନଷ୍ଟ କରିବାକୁ ୧୪୦ଟି ମୋବାଇଲ ଫୋନର ବ୍ୟବହାର କରିଥିଲେ। ଏହାଦ୍ୱାରା ସେମାନେ ମାମଲା ସହ ଜଡ଼ିତ ପ୍ରମାଣକୁ ନଷ୍ଟ କରିଛନ୍ତି ବୋଲି ଇଡି କହିଛି।

ଇଡି ଓ ସିବିଆଇ ଦ୍ୱାରା ଏହି ଘଟଣାକୁ ନେଇ ରେଡ୍‌ର ଶିକାର ହୋଇଥିବା ସିସୋଦିଆ କିନ୍ତୁ କୌଣସି ପ୍ରକାରର ବେଆଇନ କାମ କରାଯାଇ ନଥିବା କହିଛନ୍ତି। ଏଥିସହ ରେଡ୍‌ ବେଳେ ତଦନ୍ତକାରୀ ସଂସ୍ଥା କୌଣସି ପ୍ରମାଣ ପାଇ ନଥିବା ସେ କହିଥିଲେ। ତାଙ୍କ ବସ୍‌ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଗୁଜରାଟ ନିର୍ବାଚନ ଥିବାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଇସାରାରେ ତଦନ୍ତକାରୀ ସଂସ୍ଥା ଆପ୍‌ ନେତାମାନଙ୍କୁ ଟାର୍ଗେଟ କରୁଥିବା କହିଛନ୍ତି।

ଦୁଇଟି ଘରୋଇ ଫାର୍ମା କମ୍ପାନୀର ମୁଖ୍ୟଙ୍କୁ ଇଡି ଦୁଇ ଦିନକ ତଳେ ଗିରଫ କରିଥିଲା। ଏହାପରେ ହିଁ ଇଡି ୧୦୦ କୋଟିର ଲାଞ୍ଚ କାରବାର କଥା କହିଛି। ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ମଦ କମ୍ପାନୀ ପର୍ନୋଡ ରିକାର୍ଡର ଜେନେରାଲ ମ୍ୟାନେଜର ବିନୟ ବାବୁ ଓ ଅରବିନ୍ଦ ଫାର୍ମାର ପ୍ରମୋଟର ଶରତ ଚନ୍ଦ୍ର ରେଡ୍ଡୀ ଅଛନ୍ତି।

ବୁଧବାର ବିଳମ୍ବିତ ରାତିରେ ସେମାନଙ୍କୁ ଇଡି ଗିରଫ କରିଥିଲା। ଗିରଫ ପରେ ଗୁରୁବାର ସକାଳେ ସେମାନଙ୍କୁ ଦିଲ୍ଲୀର ଗୋଟିଏ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଏବେ ବିନୟ ଓ ଶରତ ୭ ଦିନ ପାଇଁ ଇଡିର ରିମାଣ୍ଡରେ ଅଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ଇଡି ସେପ୍ଟେମ୍ବରରେ ମଦ କମ୍ପାନୀ ଇଣ୍ଡୋସ୍ପିରିଟର ଏମଡି ସମୀର ମହେନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା।

ଇଡି ଶରତ ଓ ବିନୟଙ୍କୁ କୋର୍ଟରେ ହାଜର କରିବା ପରେ କହିଛି ଯେ ରାଜନୀତିକ ବ୍ୟକ୍ତିବିଶେଷ ଓ ଅଧିକାରୀମାନଙ୍କୁ ଦିଆଯାଇଥିବା ଲାଞ୍ଚ ବାବଦରେ ଶରତ ରେଡ୍ଡୀ ୧୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ଖୁଚୁରା ମଦ ବ୍ୟବସାୟରେ ଗୋଟିଏ ସଂସ୍ଥା ୨୦୦ କୋଟି ଟଙ୍କାର ନିବେଶ କରିବା ପ୍ରଚଳିତ ନିୟମର ଉଲ୍ଲଙ୍ଘନ। ସେହିପରି ଅବକାରୀ ନୀତି ଲାଗୁ ହେବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ କମ୍ପାନୀ ଓ ବ୍ୟକ୍ତିମାନଙ୍କୁ ନିୟମ ସମ୍ପର୍କରେ ଆଗୁଆ ଅବଗତ କରାଯାଇଥିଲା। ଦିଲ୍ଲୀ ସରକାର ଅବକାରୀ ନୀତିର ନିୟମ ପ୍ରସ୍ତୁତ କରୁଥିବା ବେଳେ ବିନୟ ଓ ଶରତ ମଧ୍ୟ ଏଥିରେ ସାମିଲ ଥିଲେ ବୋଲି ଇଡି ଦାବି କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।