ଧ୍ୱଜାବତରଣ ବେଳେ ଉଡ଼ିବ ୧୦୦୦ ଡ୍ରୋନ, ୨୬ରେ ପରାକ୍ରମ ଦେଖାଇବେ ୭୫ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ସ୍ୱାଧୀନତାର ଅମୃତ ମହୋତ୍ସବ ଏବେ ସମଗ୍ର ଦେଶରେ ପାଳନ ହେଉଛି। ଏହି ୭୫ ବର୍ଷର ସ୍ୱାଧୀନତା ଉପଲକ୍ଷେ ଗଣତନ୍ତ୍ର ଦିବସରେ ମଧ୍ୟ କିଛି ଖାସ କରିବାକୁ ଭାରତ ସରକାର ଯୋଜନା କରିଛନ୍ତି। ଆସନ୍ତା ୨୩ ତାରିଖରୁ ଦେଶରେ ଗଣତନ୍ତ୍ର ଦିବସ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଏହା ୩୦ ତାରିଖ ଯାଏ ଚାଲିବ। ୨୯ ତାରିଖରେ ହେବାକୁ ଥିବା ଧ୍ୱଜାବତରଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷିତ କରିବା ପାଇଁ ଏକା ସାଙ୍ଗରେ ୧୦୦୦ ଡ୍ରୋନ ଆକାଶରେ ଉଡ଼ିବେ। ପ୍ରଥମଥର ପାଇଁ ଧ୍ୱଜାବତରଣ ବେଳେ ଏପରି ବ୍ୟବସ୍ଥା କରାଯାଉଛି।

ଆଇଆଇଟି ଦିଲ୍ଲୀ ଷ୍ଟାର୍ଟଅପ ବୋଟଲାବ ଡାୟିନାମିକ ପକ୍ଷରୁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନଗୁଡ଼ିକ ନିର୍ମାଣ କରାଯାଇଛି। ପୂର୍ବରୁ ଆମେରିକା, ରୁଷ ଓ ଚାଇନା ଭଳି ଦେଶ ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ଡ୍ରୋନ ଗୁଡ଼ିକର ପ୍ରଦର୍ଶନ କରନ୍ତି। ଭାରତ ମଧ୍ୟ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି।

ପ୍ରତିବର୍ଷ ଦିଲ୍ଲୀର ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ ପାଳନ କରାଯାଉଛି। ଏବର୍ଷ ମଧ୍ୟ ଜାନୁଆରୀ ୨୯ରେ ଏହା ଆୟୋଜିତ ହେବ। ଧ୍ୱଜାବତରଣ ବେଳେ ସ୍ୱାଧୀନତାର ୭୫ ବର୍ଷ ଇତିହାସକୁ ଲେଜର ଶୋ’ ମାଧ୍ୟମରେ ପ୍ରଦର୍ଶନ କରାଯିବ।

ଅନ୍ୟପକ୍ଷରେ ଭାରତର ଗଣତନ୍ତ୍ର ଦିବସ ଉତ୍ସବ ଜାନୁଆରୀ ୨୩ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀରୁ ପାଳନ ହେବ। ପୂର୍ବରୁ ଜାନୁଆରୀ ୨୪ରୁ ଏହା ଆରମ୍ଭ ହେଉଥିଲା। ହେଲେ ଭାରତ ସରକାର ନେତାଜୀ ଜୟନ୍ତୀରୁ ଗଣତନ୍ତ୍ର ଦିବସ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଚଳିତ ବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ ଅଧ ଘଣ୍ଟା ବିଳମ୍ବ ଅର୍ଥାତ ଦିନ ୧୦.୩୦ରେ ଆରମ୍ଭ ହେବ। ଏୟାରକ୍ରାଫ୍ଟ ଭିଜିବିଲିଟି ଦୃଷ୍ଟିକୋଣରୁ ଏପରି ନିଷ୍ପତ୍ତି ହୋଇଛି। ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାରୁ ଗଣତନ୍ତ୍ର ଦିବସରେ ୭୫ଟି ଯୁଦ୍ଧ ବିମାନ ନିଜର ପରାକ୍ରମ ଦେଖାଇବେ।

କରୋନା ସଂକ୍ରମଣ ଦୃଷ୍ଟିରୁ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଲୋକଙ୍କ ସଂଖ୍ୟା ୫ ହଜାରୁ ୮ ହଜାର ମଧ୍ୟରେ ସୀମିତ ରହିବ। ଗତବର୍ଷ ୨୫ ହଜାର ଲୋକ କାର୍ଯ୍ୟକ୍ରମ ଦେଖିଥିଲେ। ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୯ଟି ମନ୍ତ୍ରଣାଳୟ ଏବଂ ବିଭାଗର ପ୍ରଜ୍ଞାପନ ମେଢ ପ୍ୟାରେଡରେ ଭାଗ ନେବେ। ଅରୁଣାଚଳ ପ୍ରଦେଶ, ହରିଆଣା, ଛତିଶଗଡ଼, ଗୋଆ, ଗୁଜରାଟ, କର୍ଣ୍ଣାଟକା, ମେଘାଳୟ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପ୍ରଜ୍ଞାପନ ମେଢ ପ୍ୟାରେଡରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି।

ଏହା ବ୍ୟତୀତ ଇଣ୍ଡିଆ ଗେଟ୍ ନିକଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାକୁ ପ୍ରଦାନ କରାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।