ଦାବି ଶୁଣିଲେନି ନେତା, ଗୋଟିଏ ଆସନରୁ ନାମାଙ୍କନ ଦାଖଲ କରିବେ ହଜାରେ ଚାଷୀ

୧୯୯୬ରେ ୧୦୧୬ ଜଣ ଚାଷୀ ମୋଦାକୁରୁଚି ନିର୍ବାଚନୀ ମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ଏହି ଆସନରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ୧୦୩୩ରେ ପହଞ୍ଚି ଯାଇଥିଲା। ଯାହାକୁ ଦେଖି ନିର୍ବାଚନ କମିଶନ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଏହି କାରଣରୁ ଭୋଟିଂ ପ୍ରକ୍ରିୟାକୁ ଗୋଟିଏ ମାସ ପାଇଁ ଘୁଞ୍ଚାଇ ଦିଆଯାଇଥିଲା।

କୋଏମ୍ବାଟୁର: ଆସନ୍ତା ତାମିଲନାଡୁ ନିର୍ବାଚନରେ ଭିନ୍ନ ଅନ୍ଦାଜରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ। ବାରମ୍ବାର ଦାବି ସତ୍ତ୍ୱେ ନିର୍ବାଚିତ ନେତା ସେମାନଙ୍କ କଥା ନ ଶୁଣିବାରୁ ଏବେ ଚାଷୀମାନେ ନିଜେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତିରୁପୁର ଜିଲ୍ଲାର କାଙ୍ଗେୟାମ ଆସନରୁ ଏକାଥରେ ୧ ହଜାର ଚାଷୀ ପ୍ରାର୍ଥିପତ୍ର ଦାଖଲ କରିବେ।

ପରମବିକୁଲମ-ଅଲୀୟାର ପ୍ରକଳ୍ପରୁ ପାଣି ଛାଡ଼ିବାକୁ ଚାଷୀମାନେ ବାରମ୍ବାର ସରକାରଙ୍କ ଆଗରେ ଦାବି କରୁଛନ୍ତି। ହେଲେ ସେମାନଙ୍କ ଦାବି ବଧିର ରାଜନେତାଙ୍କ କାନରେ ପଡ଼ୁଥିବାରୁ କୌଣସି ସୁଫଳ ଏଯାଏ ମିଳିନାହିଁ। ଏହି କାରଣରୁ ସେମାନେ ନାମାଙ୍କନ ଭରିବାକୁ ଯାଉଥିବା କହିଛନ୍ତି।

ଗତବର୍ଷ ଭେଲ୍ଲାକୋଇଲ ବ୍ରାଞ୍ଚ କେନାଲ ଜଳ ସୁରକ୍ଷା କମିଟିର ଶତାଧିକ ଚାଷୀ ପାଣି ଛାଡ଼ିବା ଦାବିରେ ୫ ଦିନ କାଳ ଆମରଣ ଅନଶନରେ ବସିଥିଲେ। ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ସହ ଆଲୋଚନା କରିବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସତ୍ତ୍ୱେ ସେମାନଙ୍କ ଦାବି ପୂରଣ ହୋଇ ନଥିଲା।

ଆଜି କମିଟିର ଚାଷୀମାନେ କହିଛନ୍ତି, “ଗତବର୍ଷ ଠାରୁ ପ୍ରତିଶ୍ରୁତି ମିଳିଥିଲେ ହେଁ ଏଯାଏ କୌଣସି ସୁଫଳ ମିଳିନାହିଁ। ଏଥିପାଇଁ କାଙ୍ଗେୟାମ ଆସନରୁ ହଜାରେ ଚାଷୀ ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି କମିଟିର ଜଣେ ସଦସ୍ୟ ମଧ୍ୟ ନାମାଙ୍କନ ଭରିବେ। ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଚାଷୀ ନାମାଙ୍କନ ଦାଖଲ କରିଥିବା ବେଳେ ଗୁରୁବାର ଓ ଶୁକ୍ରବାର ସୁଦ୍ଧା ହଜାରେ ଚାଷୀ ଏହି ତାଲିକାରେ ସାମିଲ ହୋଇ ନିଜର ଆବଶ୍ୟକ ଦସ୍ତାବିଜ କମିଟି ନିକଟରେ ଦାଖଲ କରିବେ।”

୧୯୯୬ରେ ୧୦୧୬ ଜଣ ଚାଷୀ ମୋଦାକୁରୁଚି ନିର୍ବାଚନୀ ମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ଏହି ଆସନରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ୧୦୩୩ରେ ପହଞ୍ଚି ଯାଇଥିଲା। ଯାହାକୁ ଦେଖି ନିର୍ବାଚନ କମିଶନ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଏହି କାରଣରୁ ଭୋଟିଂ ପ୍ରକ୍ରିୟାକୁ ଗୋଟିଏ ମାସ ପାଇଁ ଘୁଞ୍ଚାଇ ଦିଆଯାଇଥିଲା।

୧୦୩୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩୦ ଜଣ ନିଜର ଅମାନତ ହରାଇଥିଲେ। ୧୫୮ ଜଣ ପ୍ରାର୍ଥୀଙ୍କ ସପକ୍ଷରେ ଗୋଟିଏ ଲେଖାଏ ଭୋଟ ପଡ଼ିଥିବା ବେଳେ ୮୮ ଜଣଙ୍କ ପ୍ରାର୍ଥୀଙ୍କୁ କେହି ଭୋଟ ଦେଇ ନଥିଲେ। ବାଲଟ ପେପରରେ ହୋଇଥିବା ଭୋଟିଂ ପାଇଁ ୫୦ ପୃଷ୍ଠାର ବ୍ୟବସ୍ଥା ହୋଇଥିଲା।

ଶେଷରେ ଏହି ଆସନରେ ଡିଏମକେର ସୁବୁଲକ୍ଷ୍ମୀ ଜଗଦୀଶନ ଏଆଇଏଡିଏମକେ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।