ବିଜୁଳି ସଙ୍କଟ ଦୂର କରିବାକୁ କୋଇଲା ନେଇ ଯାଉଥିବା ଟ୍ରେନର ୧୨ ବଗି ଓଲଟି ପଡ଼ିଲା

ଲକ୍ଷ୍ନୌ: ଏବେ ବିଭିନ୍ନ ପାୱାର ପ୍ଲାଣ୍ଟରେ କୋଇଲା ସଙ୍କଟ ଦେଖାଯାଇଛି। ଏହାର ପ୍ରଭାବ ବିଜୁଳି ଉତ୍ପାଦନ ଉପରେ ପଡ଼ୁଥିବାରୁ ପାୱାର କଟ୍‌ ଭଳି ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ଭାରତ ସରକାର କୋଇଲା ପରିବହନକୁ ତ୍ୱାରାନ୍ୱିତ କରିଛନ୍ତି। ଏପରି କି କୋଇଲା ପରିବହନ ପାଇଁ ଶହଶହ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯାଇଛି।

ଏସବୁ ଭିତରେ କୋଇଲା ପରିବହନ ବେଳେ ଘଟିଛି ଅଘଟଣ। କୋଇଲା ନେଇ ଯାଉଥିବା ଗୋଟିଏ ଟ୍ରେନ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିଯୋଗୁ କୋଇଲା ବୋଝେଇ ହୋଇଥିବା ୧୨ଟି ରେକ ବା ବଗି ଲାଇନ ଚ୍ୟୁତ ହୋଇଯାଇଛି। ସେହିପରି କୋଇଲା ମଧ୍ୟ ରେଳ ଧାରଣାରେ ଅଜାଡ଼ି ହୋଇଯାଇଛି। ଉତ୍ତର ପ୍ରଦେଶର ଇଟାୱାରେ ଏପରି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଇକଡିଲ ରେଳ ଷ୍ଟେସନରେ ୧୨ଟି କୋଇଲା ବୋଝେଇ ବଗି ଲାଇନ ଚ୍ୟୁତ ହୋଇଛି। ଏଥିଯୋଗୁ ଉକ୍ତ ଟ୍ରାକରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲାଇନ ଚ୍ୟୁତ ଯୋଗୁ ବଡ଼ବଡ଼ କୋଇଲା ଖଣ୍ଡ ରେଳ ଟ୍ରାକ୍‌ରେ ମାଡ଼ ହୋଇଛି। ଫଳରେ ରେଳ ଧାରଣା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ରେଳ ଅଧିକାରୀ ଓ ପୁଲିସ୍‌ ପହଞ୍ଚିଥିଲେ। ସେମାନେ ରେଳ ଧାରଣାରୁ ବଗି ଗୁଡ଼ିକ ହଟାଇବା ସହ ରେଳ ଚଳାଚଳକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି। ଅତିରିକ୍ତ ଏସପି ସତପାଲ ସିଂହ କହିଛନ୍ତି, ଏହି କୋଇଲା ବୋଝେଇ ଟ୍ରେନ୍‌ଟି କାନପୁରରୁ ଭାୟା ଇଟାୱା ହୋଇ ଗାଜିଆବାଦ ଯାଉଥିଲା। ଘଟଣା ପରେ କୋଇଲାର ସୁରକ୍ଷା ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଇଟାୱା ଜିଲ୍ଲା ମାଜିଷ୍ଟ୍ରେଟ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।