ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୫କୁ ବଢ଼ିଲା

ଚେନ୍ନାଇ: ତାମିଲନାଡୁର ବିରୁଦ୍ଧୁନଗର ସ୍ଥିତ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏବେ ବି ୧୦ରୁ ଅଧିକ ଲୋକ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଆଜି ମଧ୍ୟାହ୍ନ ପ୍ରାୟ ୧.୩୦ରେ ଏହି ବିସ୍ଫୋରଣ ଘଟିଛି।

ପୁଲିସ୍‌ କହିଛି ଯେ ସାଥୁର ନିକଟ ଅଚନଗୁଲାମ ଅଞ୍ଚଳରେ ଏହି ଘରୋଇ ବାଣ ତିଆରି କାରଖାନାଟି ରହିଥିଲା। କେଉଁ କାରଣରୁ ନିଆଁ ଲାଗି ସେକଥା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ବାଣ ତିଆରି କରିବା ପାଇଁ କାରଖାନାରେ କିଛି କେମିକାଲ ମିଶ୍ରଣ କରାଯାଉଥିବା ବେଳେ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ସନ୍ଦେହ ପ୍ରକାଶ ପାଇଛି।

ନିଆଁ ଲାଗିବା ଖବର ମିଳିବା ପରେ ଏକାଧିକ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ସେତେବେଳକୁ ସଂପୂର୍ଣ୍ଣ କାରଖାନାଟି ଧ୍ୱଂସ ପାଇ ଯାଇଥିଲା। ଉଦ୍ଧାରକାରୀ ଦଳ କାରଖାନା ମଧ୍ୟରେ ଥିବା ଲୋକଙ୍କୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରଥମେ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଦମକଳ ବାହିନୀ ଘଟଣାସ୍ଥଳରେ ରହିଛନ୍ତି। ସେହିପରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀ ମଧ୍ୟ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତକଙ୍କ ଆତ୍ମର ସଦଗତି କାମ କରିଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେହିପରି କେନ୍ଦ୍ର ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତାମିଲନାଡୁ ସରକାର ମୃତକଙ୍କ ପରିବାରକୁ ୩ ଲକ୍ଷ ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବେ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।