ସାଂସଦ ଓ ବିଧାୟକଙ୍କ ନାଁରେ ପଡ଼ି ରହିଛି ୧୫୧ଟି ସିବିଆଇ କେସ୍‌, ୫୮ ମାମଲା ଅତି ସାଂଘାତିକ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନେକ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ନାଁରେ ୧୫୧ଟି କେସ୍‌ ପେଣ୍ଡିଂ ହୋଇ ରହିଛି। ଏହା ମଧ୍ୟରୁ ୫୮ଟି ଏମିତି କେସ୍‌ ରହିଛି, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ସାଂସଦ କିମ୍ବା ବିଧାୟକଙ୍କୁ ଆଜୀବନ ଜେଲଦଣ୍ଡ ମଧ୍ୟ ମିଳିପାରେ। କିନ୍ତୁ ପରିତାପର ବିଷୟ ଏହା ମଧ୍ୟରୁ ଏକ ତୃତୀୟାଂଶ କେସ୍‌ରେ ଟ୍ରାଏଲ ଅତ୍ୟନ୍ତ ଧିମା ଗତିରେ ଚାଲିଛି। ବହୁତ ବର୍ଷ ତଳେ ଘଟଣା […]

sc

sc

Hemant Lenka
  • Published: Tuesday, 24 August 2021
  • Updated: 24 August 2021, 09:18 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନେକ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ନାଁରେ ୧୫୧ଟି କେସ୍‌ ପେଣ୍ଡିଂ ହୋଇ ରହିଛି। ଏହା ମଧ୍ୟରୁ ୫୮ଟି ଏମିତି କେସ୍‌ ରହିଛି, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ସାଂସଦ କିମ୍ବା ବିଧାୟକଙ୍କୁ ଆଜୀବନ ଜେଲଦଣ୍ଡ ମଧ୍ୟ ମିଳିପାରେ।

କିନ୍ତୁ ପରିତାପର ବିଷୟ ଏହା ମଧ୍ୟରୁ ଏକ ତୃତୀୟାଂଶ କେସ୍‌ରେ ଟ୍ରାଏଲ ଅତ୍ୟନ୍ତ ଧିମା ଗତିରେ ଚାଲିଛି। ବହୁତ ବର୍ଷ ତଳେ ଘଟଣା ଘଟିଥିଲେ ହେଁ ସେମାନଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇନାହିଁ। ଆଜି ସୁପ୍ରିମକୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

୨୦୧୬ରେ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକ ଶୁଣାଣି ତ୍ୱାରାନ୍ୱିତ କରିବାକୁ ଫାଷ୍ଟଟ୍ରାକ୍‌ ବ୍ୟବସ୍ଥା କରିବାକୁ ଆବେଦନ କରିଥିଲେ। ଏହି ଆବେଦନ ପରେ ସୁପ୍ରିମକୋର୍ଟ ଆଇନଜୀବୀ ବିଜୟ ହନସାରିଆଙ୍କୁ ମାମଲାରେ ସହଯୋଗ କରିବା ପାଇଁ ଆମିକସ୍‌କ୍ୟୁରୀ ଭାବେ ନିଯୁକ୍ତ କରିଥିଲେ। ସେ ଏବେ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ତାଙ୍କୁ ଏଥିରେ ଆଇନଜୀବୀ ସ୍ନେହା କଲିତା ସହଯୋଗ କରିଥିଲେ।

ମାମଲାର ୧୪ତମ ରିପୋର୍ଟରେ କୁହାଯାଇଛି ଯେ ୧୫୧ଟି କେସ୍‌ ବିଭିନ୍ନ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଟ୍ରାଏଲ ଅପେକ୍ଷାରେ ରହିଛି। ଏହା ମଧ୍ୟରୁ ୫୮ଟି କେସରେ ଦଣ୍ଡ ସ୍ୱରୂପ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ ମିଳିପାରିବ। ୪୫ଟି ଏମିତି କେସ୍‌ ରହିଛି, ଯାହା ବହୁ ବର୍ଷ ପୂର୍ବେ ଘଟିଥିଲେ ହେଁ ଏଯାଏ ଚାର୍ଜଫ୍ରେମ ହୋଇନାହିଁ। ସାଂସଦ ଓ ବିଧାୟକଙ୍କ ବିରୋଧରେ ଆସିଥିବା ୩୭ଟି ମାମଲାର ତଦନ୍ତ ସିବିଆଇ ଜାରି ରଖିଛି।

ସବୁଠାରୁ ଅଧିକ ଦିନ ପେଣ୍ଡିଂ ହୋଇଥିବା ମାମଲା ପାଟନାରେ ରହିଛି। ଏଠାରେ ଅଭିଯୁକ୍ତଙ୍କ ବିରୋଧରେ ୨୦୦୦ ମସିହା ଜୁନ୍‌ ୧୨ରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲେ ହେଁ ଏଯାଏ ରାୟ ପ୍ରକାଶ ପାଇନାହିଁ। ବିଭିନ୍ନ ସିବିଆଇ କୋର୍ଟରେ କେମିତି ମାମଲାର ଟ୍ରାଏଲ ଦିର୍ଘଦିନ ହେଲା ପଡ଼ି ରହିଛି, ତା’ର ଖୁଲାସା ରିପୋର୍ଟ ଜରିଆରେ କରାଯାଇଛି।

ଇଡିର ଷ୍ଟାଟସ ରିପୋର୍ଟ ଅନୁଯାୟୀ, ୫୧ ଜଣ ପୂର୍ବତନ ଓ କାର୍ଯ୍ୟରତ ସାଂସଦଙ୍କ ବିରୋଧରେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ମାମଲା କରାଯାଇଛି। ତେବେ ଏହି ରିପୋର୍ଟରେ କେତେ ଜଣ ପୂର୍ବତନ ଓ କେତେ ଜଣ କାର୍ଯ୍ୟରତ ସାଂସଦ ଅଛନ୍ତି କୁହାଯାଇ ନାହିଁ।

ରିପୋର୍ଟରେ ଦର୍ଶାଯାଇଛି ଯେ ଯେଉଁ କୋର୍ଟଗୁଡ଼ିକରେ ମାମଲା ପଡ଼ି ରହିଛି, ସେମାନଙ୍କୁ ସିଆରପିସିର ଧାରା ୩୦୯ ଅନୁଯାୟୀ ଦୈନିକ ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ। ଆମିକସ୍ କ୍ୟୁରୀ ପରାମର୍ଶ ଦେଇଛନ୍ତି ଯେ ଯଦି ଅତିରିକ୍ତ ଅଦାଲତର ଆବଶ୍ୟକ ପଡ଼େ, ତା’ହେଲେ ହାଇକୋର୍ଟ ଓ ଉପଯୁକ୍ତ ସରକାର ଅତିରିକ୍ତ କୋର୍ଟ ଗଠନ କରିପାରିବେ। ମାମଲା କିପରି ଆଗକୁ ବଢ଼ୁଛି, ତା’ର ତଦାରଖ କରିବାକୁ ଗୋଟିଏ କମିଟି ଗଠନ କରିବାକୁ ମଧ୍ୟ ଆମିକସକ୍ୟୁରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos