ପାହାଡ଼ରୁ ମିଳିଲା ୧୮ ହାତୀଙ୍କ ମୃତଦେହ, ବିଜୁଳିରେ ମରିଥିବା ସନ୍ଦେହ

ବାମୁନି(ଆସାମ): ଆସାମାର ନାଗାଓଁ-କରବି ଅଙ୍ଗଲୋଙ୍ଗ ଜିଲ୍ଲାର ସୀମାନ୍ତ ପାହାଡ଼ ଉପରୁ ୧୮ଟି ବଣୁଆ ହାତୀଙ୍କ ମୃତଦେହ ମିଳିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ପ୍ରାଥମିକ ତଦନ୍ତରୁ ବିଜୁଳି ମାଡ଼ରେ ଏତେ ସଂଖ୍ୟକ ହାତୀଙ୍କ ଜୀବନ ଯାଇଥିବା କୁହାଯାଉଛି।

ସରକାରୀ ଅଧିକାରୀ କହିଛନ୍ତି, ବୁଧବାର କଥିଆଟୋଲି ରେଞ୍ଜର କୁଣ୍ଡୋଲି ସଂରକ୍ଷିତ ଜଙ୍ଗଲରେ ଏହି ଘଟଣା ଘଟିଛି। ଦୁଇଟି ପୃଥକ ସ୍ଥାନରୁ ୧୮ଟି ହାତୀଙ୍କ ମୃତଦେହ ମିଳିଛି। ସଂରକ୍ଷିତ ଜଙ୍ଗଲର ଗୋଟିଏ ସ୍ଥାନରୁ ୪ଟି ହାତୀଙ୍କ ମୃତଦେହ ମିଳିଥିବା ବେଳେ ଆଉ ଗୋଟିଏ ସ୍ଥାନରୁ ୧୪ଟି ମୃତଦେହ ମିଳିଛି।

ଖବର ପାଇ ଜଙ୍ଗଲ ବିଭାଗର ଅଧିକାରୀ ଓ ପ୍ରାଣୀ ଚିକିତ୍ସକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ମୃତ୍ୟର କାରଣ ଜାଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତଥାପି ବିଜୁଳି ମାଡ଼ରେ ଏମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ଅଧିକାରୀ ଜଣଙ୍କ କହିଛନ୍ତି।ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି, ନାଗାଓଁ ଜିଲ୍ଲାର ଚିଫ ୱାଇଲ୍ଡ ଲା‍ଇଫ ୱାର୍ଡେନ ଓ ଡିଏଫଓଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ପୂରା ଟିମ୍‌ ମୃତ୍ୟୁର କାରଣ ଜାଣିବାକୁ ଉଦ୍ୟମ ଜାରି ରଖିଛନ୍ତି।


ଅନ୍ୟପକ୍ଷରେ ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁରେ ସ୍ଥାନୀୟ ଲୋକ ସ୍ତବ୍ଧ ହୋଇଯାଇଛନ୍ତି। ସେମାନେ ମୃତ ହାତୀମାନଙ୍କୁ ଶେଷ ବିଦାୟ ଜଣାଇଛନ୍ତି। ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ଼ମାନେ ମୃତ ହାତୀମାନଙ୍କୁ ଛୁଇଁ ମୁଣ୍ଡିଆ ମାରୁଥିବା ବେଳର ଦୃଶ୍ୟ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ୨୦୧୭ ଗଣନା ଅନୁଯାୟୀ, କର୍ଣ୍ଣାଟକା ପରେ ଆସାମରେ ସର୍ବାଧିକ ହାତୀ ଠାବ ହୋଇଥିଲେ। ୨୦୦୨ରେ ଏଠାରେ ହାତୀଙ୍କ ସଂଖ୍ୟା ୫,୨୪୬ ଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୫,୭୧୯କୁ ବୃଦ୍ଧି ପାଇଥିଲା। ଆସାମରେ ହାତୀମାନଙ୍କୁ ଶିକାର କରାଯାଉଥିବା ବେଳେ ଟ୍ରେନ ଧକ୍କାରେ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟୁଥିବା ଖବର ମିଳିଥାଏ। ୨୦୧୩ରୁ ୨୦୧୬ ମଧ୍ୟରେ ୧୦୦ରୁ ଅଧିକ ଜଙ୍ଗଲୀ ହାତୀଙ୍କ ସନ୍ଦେହଜନକ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।